ବିଶ୍ୱ ହକି ଲିଗ ଫାଇନାଲ ୨୦୧୭ ! ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଲା ଭାରତ, ୧-୧ରେ ମ୍ୟାଚ ଡ୍ର

22

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକି ଲିଗ ଫାଇନାଲର ଦ୍ୱିତୀୟ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମୁକାବିଲା ୧-୧ରେ ଡ୍ର ଶେଷ ହୋଇଛି । ପୁଲ ବି ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ପ୍ରଥମରୁ ରୋମାଞ୍ଚ ଦେଖିବାକୁ ମିଳିଥିଲା । ବିଶ୍ୱ ର୍ୟାକିଙ୍ଗରେ ୨ୟ ସ୍ଥାନରେ ଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଫେଭରିଟ ଥିଲା । କିନ୍ତୁ ହୋମ ଗ୍ରାଉଣ୍ଡରେ ଖେଳୁଥିବା ଭାରତ ପ୍ରଥମରୁ ଆଟାକିଙ୍ଗ ମୁଡରେ ଖେଳ ଆରମ୍ଭ କରିଥିଲା । ଏହାର ଫାଇଦା ମଧ୍ୟ ପାଇଥିଲା ଟିମ । ଖେଳର ପ୍ରଥମାର୍ଦ୍ଧରେ ମନଦୀପ ସିଂ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ । ତେବେ ଭାରତର ଏହି ଖୁସି ବେଶି ସମୟ ରହିନଥିଲା ।

୧-୦ରେ ପଛୁଆ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟାର୍ଦ୍ଧରେ ଜବରଦସ୍ତ କମବ୍ୟାକ କରିଥିଲା । ଏକ ପେନଲାଟି କର୍ଣ୍ଣରକୁ ଅଷ୍ଟ୍ରେଲିଆର ଜେରିମି ଗୋଲରେ ପରିଣତ କରି ୧-୧ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ଦୁଇଦଳ କେହି କାହାକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ମ୍ୟାଚ ୧-୧ରେ ଡ୍ର ହୋଇଥିଲା । ଉଦଘାଟନୀ ଦିବସରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚରେ ଜର୍ମାନ ଠାରୁ ୨-୦ ଗୋଲରେ ପରାସ୍ତ ହୋଇଥିଲା ଇଂଲଣ୍ଡ ।