ଗାଲେ ଟେଷ୍ଟର ଆଜି ତୃତୀୟ ଦିନ! ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା, ପ୍ରଥମ ପାଳିରେ ଭାରତ କରିଛି ୬ଶହ ରନ୍

27

କନକ ବ୍ୟୁରୋ : ଗାଲେ ଟେଷ୍ଟ୍‌ ଏକପ୍ରକାର ଭାରତ ଆୟତକୁ ଆସିଯାଇଛି । ସାମନ୍ତରାଳ ଭାବେ ଶ୍ରୀଲଙ୍କାର ସଙ୍କଟ ବି ବଢ଼ି ବଢ଼ି ଚାଲିଛି । ମାତ୍ର ଦୁଇ ଦିନ ଭିତରେ ଜବରଦସ୍ତ ବ୍ୟାଟିଂ ସହ ଜମାଣିଆ ବୋଲିଂ କରି ଭାରତୀୟ ଖେଳାଳି ଘରୋଇ ଦଳକୁ ପୂରା ଘାଇଲା କରି ଦେଇଛନ୍ତି । ଫଳରେ ଅସହାୟ ସିଂହଳ ବାହିନୀ ଆସନ୍ନ ପରାଜୟକୁ କେମିତି ଏଡ଼ାଇବେ ସେହି ବାଟ ଖୋଜିବା ଆରମ୍ଭ କରି ଦେଇଛନ୍ତି । ପ୍ରଥମ ଦିନରେ ୩ ଓ୍ଵିକେଟ୍‌ ହରାଇ ୩୯୯ ରନ୍‌ କରିଥିବା ଭାରତ ଗୁରୁବାର ଦ୍ୱିତୀୟ ଦିନରେ ଆଉ ୨୦୧ ରନ୍‌ ଯୋଡ଼ି ବଳକା ୭ ଓ୍ଵିକେଟ୍‌ ହରାଇଛିି ।

ଭାରତ କରିଥିବା ୬୦୦ ରନର ବିଶାଳ ସ୍କୋର ଜବାବରେ ଶ୍ରୀଲଙ୍କା ଆଜିର ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇ ମାତ୍ର ୧୫୪ ରନ୍‌ କରିବା ସହ ଫଲୋଅନ୍‌ ଟାଳିବା ଲାଗି ସଂଘର୍ଷ ଜାରି ରଖିଛି । ମାତ୍ର ୭ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଦିମୁଥ କରୁଣାରତ୍ନେ (୨)ଙ୍କୁ ହରାଇଥିବା ସିଂହଳୀ ଦଳ ଉପୁଲ ତରଙ୍ଗା (୬୪) ଏବଂ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୫୪ଞ୍ଚ)ଙ୍କ ଅର୍ଧଶତକ ପାଇଁ ଘୋର ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଯାଇଛି । ତଥାପି ଏହି ଦଳର ମୁଣ୍ଡ ଉପରୁ ବିପଦ ଟଳିନି । ଆଗକୁ ଏକପ୍ରକାର ରନ୍‌ର ପାହାଡ଼ ଅତିକ୍ରମ କରିବାର ଅଛି।

କାମଚଳା ଅଧିନାୟକ ରଙ୍ଗନା ହେରାଥ (୪୦-୬-୧୫୯-୧) ବୋଲିଂରେ ବିଫଳ ହେବା ପରେ ନିଜ ପ୍ରଥମ ଟେଷ୍ଟ୍‌ ଖେଳୁଥିବା ଦନୁଷ୍କା ଗୁଣତିଲକ (୧୬) ଏବଂ କୁଶାଳ ମେଣ୍ଡିସ (୦) ଗୋଟିଏ ଓଭରରେ ଆଉଟ୍‌ ହୋଇଛନ୍ତି । ଓ୍ଵିକେଟ୍‌ ରକ୍ଷକ ନିରୋସାନ ଡିକେଓ୍ଵଲା (୮) ମଧ୍ୟ ପୂରା ନିରାଶ କରିଛନ୍ତି।  ଏବେ ମାଥ୍ୟୁସଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ସେ ଅପରାଜିତ ରହିବା ହିଁ ସଂଘର୍ଷଭରା ଗୁରୁବାର ଖେଳରେ ଶ୍ରୀଲଙ୍କା ପାଇଁ ଏକମାତ୍ର ସାନ୍ତ୍ୱନାମୂଳକ ଖବର ହୋଇଛି । ଶ୍ରୀଲଙ୍କା ସଂପ୍ରତି ଭାରତଠାରୁ ୪୪୬ ରନ୍‌ ପଛରେ ଥିଲା ବେଳେ ଫଲୋଅନଠାରୁ ୨୪୭ ରନ୍‌ ଦୂରରେ ରହିଛି ।

ବାମହାତ ବୁଢ଼ା ଆଙ୍ଗୁଠି ଭାଙ୍ଗିଯିବା ପରେ ବ୍ୟାଟିଂ ଅଲରାଉଣ୍ଡର ଆସେଲା ଗୁଣରତ୍ନେ ସଂପୂର୍ଣ୍ଣ ମ୍ୟାଚରୁ ବାଦ ପଡ଼ିବା ମଧ୍ୟ ଏହି ଦଳର ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି । ସେଥିପାଇଁ ଏହି ସଙ୍କଟ ଦୂର କରିବା ଲାଗି ଶ୍ରୀଲଙ୍କା ହାତରେ ପ୍ରକୃତରେ ଏବେ ଆଉ ମାତ୍ର ୪ ଓ୍ଵିକେଟ୍‌ ବଳକା ରହିଛି । ଭାରତ ପକ୍ଷରୁ ଗୁରୁବାର ପ୍ରତ୍ୟାବର୍ତ୍ତନ ତାରକା ମହମ୍ମଦ ସାମି ସଫଳତମ ବୋଲର ଭାବେ ଦୁଇଟି ଓ୍ଵିକେଟ୍‌ ନେଇଥିଲା ବେଳେ ଉମେଶ ଯାଦବ ଏବଂ ଆର ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ ।

ଭାରତ ପ୍ରଥମ ଦିନର ସ୍କୋର ୩୯୯/୩ରୁ ଗୁରୁବାର ଖେଳ ଆରମ୍ଭ କରିଥିଲା । ୨୪ ରନ୍‌ ପରେ ଶତକ ହାସଲକରୀ ଚେତେଶ୍ୱର ପୂଜାରା (୧୫୩)ଙ୍କୁ ପ୍ରଥମ ଓ୍ଵିକେଟ୍‌ ଭାବେ ହରାଇଥିଲା । ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ (୫୭) ବି ମାତ୍ର ୯ ରନ୍‌ ପରେ ନିଜ ଓ୍ଵିକେଟ ଫିଙ୍ଗି ଦେଇଥିଲେ । ଶେଷ ୫ ଓ୍ଵିକେଟ୍‌ରେ ୧୭୭ ରନ୍‌ ଯୋଡ଼ି ନେଇଥିଲା । ଆର ଅଶ୍ୱିନ (୪୭)ଙ୍କ ସହ ମହମ୍ମଦ ସାମି (୩୦) ମଧ୍ୟ ଲଢ଼ୁଆ ବ୍ୟାଟିଂ କରିଥିଲେ ।

ହେଲେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ପଦାର୍ପଣକାରୀ ହାର୍ଦିକ ପାଣ୍ଡ୍ୟା (୫୦) । ସେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରି ନଥିଲେ । ୫ ଚୌକା, ୩ ଛକା ସହ ୪୦ ବଲ୍‌ରୁ ନିଜ ପ୍ରଥମ ଟେଷ୍ଟ୍‌ ଅର୍ଧଶତକ ହାସଲ କରି ନେଇଥିଲେ । ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ଶେଷ ଦୁଇ ଓ୍ଵିକେଟ୍‌ରେ ୭୧ ବଲରୁ ୮୩ ରନ୍‌ ସଂଗ୍ରହ କରି ନେଇଥିଲା । ସେଥିପାଇଁ ମଧ୍ୟ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ଦ୍ୱିତୀୟ ଥର ପାଇଁ ୬୦୦ ରନ୍‌ ଛୁଇଁ ଯାଇଥିଲା । ଯାହା ଶ୍ରୀଲଙ୍କାରେ ଭାରତର ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର ଥିଲା ।