ବାଲାକୋଟରେ ଆକ୍ରମଣର ପ୍ରମାଣ ନଷ୍ଟ କରୁଛି ପାକିସ୍ତାନ ! ଆତଙ୍କବାଦୀଙ୍କ ମୃତ ଦେହ ହଟାଉଛି ଶତ୍ରୁଦେଶ

593

କନକ ବ୍ୟୁରୋ : ପାକିସ୍ତାନର ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପରେ ଛାନିଆଁ ହୋଇଯାଇଛି ଶତ୍ରୁଦେଶ । ବାଲାକୋଟ ଅଂଚଳରେ ପାକିସ୍ତାନ ସେନା ଚାରିପଟୁ ଘେରିଯାଇଛି । ପାକିସ୍ତାନ ବର୍ତ୍ତମାନ ସମୟରେ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକ୍ ପ୍ରମାଣ ନଷ୍ଟ କରୁଛି । ପାକିସ୍ତାନ ବିଦେଶୀ ମିଡ଼ିଆକୁ ନିମନ୍ତ୍ରଣ ଦେଇଛି । ଭାରତ ଯେଉଁଠି ଆକ୍ରମଣ କରିଥିବାର ଦାବି କରୁଛି ସେସ୍ଥାନ ଦେଖିପାରିବେ ବୋଲି କହିଛି ପାକିସ୍ତାନ ।

ସୀମା ଆରପଟେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଯେକୌଣସି ସମ୍ଭାବ୍ୟ ପରିସ୍ଥିତର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପାକିସ୍ତାନ ସେନା ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆହ୍ୱାନ ଦେଇଛନ୍ତି । ସେପଟେ ଆଜି ପାକିସ୍ତାନ ସଂସଦରେ ଆକ୍ରମଣ ନେଇ ହଙ୍ଗାମା ହୋଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ । ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଜରୁରୀ ବୈଠକ ଡାକିଛନ୍ତି । ଅନ୍ୟପଟେ ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନି ଖାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ପ୍ରଶ୍ନ କରିଛନ୍ତି । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ।

ଭାରତୀୟ ସେନାର ଆକ୍ରମଣକୁ ପରୋକ୍ଷରେ ସ୍ୱୀକାର କରିଛି ପାକିସ୍ତାନ । ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର୍ ଟ୍ୱିଟ୍ କରିଛନ୍ତି ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଯଦିଓ ଆକ୍ରମଣକୁ ଅସ୍ୱୀକାର କରିଛନ୍ତି, ତଥାପି ସେ ଲେଖିଛନ୍ତି, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାକିସ୍ତାନ ସୀମାକୁ ପଶି ଆସିଥିଲା । ପାକ୍ ବାୟୁସେନାର ପାଲଟା ଜବାବରେ ଭାରତୀୟ ଯୁଦ୍ଧ ବିମାନ ଫେରି ଯାଇଥିଲା । ହେଲେ ପାକିସ୍ତାନ ସେନାର ମୁଖପାତ୍ର ଏହି ଆକ୍ରମଣକୁ ସ୍ୱୀକାର କରିଛନ୍ତି ।