ପର୍ଜଙ୍ଗ ପଲିଟିକ୍ସ ! ବିଜେଡି ଓ ବିଜେପି ପାଇଁ ନୋ କନଫ୍ୟୁଜନ୍, କଂଗ୍ରେସର ଅଧ ଡଜନ ଆଶାୟୀ ।

177

କନକ ବ୍ୟୁରୋ: କସରତ ପରେ କସରତ କ’ଣ କରିବେ ଦଳୀୟ ସୁପ୍ରିମୋ । ଟିକେଟ୍ ବଣ୍ଟାକୁ ନେଇ ଓଡ଼ିଶାର ଅଧିକାଂଶ ନିର୍ବାଚନମଣ୍ଡଳୀ ସ୍ଥିତି ଏବେ ଗୋଳମାଳିଆ । କିନ୍ତୁ ଏଭଳି କୌଣସି ସମସ୍ୟା ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାହିଁ । କାରଣ ଏଠି ମୂଳ ନେତୃତ୍ବ ଆଗରେ ନୂଆ ମୁଣ୍ଡ ଟେକିବାର ବଳ କି ସୁଯୋଗ ନାହିଁ। ତେଣୁ ଶାସକ ବିଜେଡି ପାଇଁ ଟିକେଟ୍ ବଣ୍ଟା ବାଟ ପୂରା ସଫା ହୋଇଥିବା ବେଳେ ପଦ୍ମ ଦଳିଆ ପୁରୁଣା ନେତୃତ୍ବକୁ ଭରସି ରହିଛନ୍ତି । କିନ୍ତୁ ଜଟିଳ ରୂପରେ ଠିଆ ହୋଇଛି କଂଗ୍ରେସ। କଂଗ୍ରେସର ପୁରୁଖାଠୁ ନୂଆ ଯେକେହି ପର୍ଜଙ୍ଗରୁ ଏଥର ନିର୍ବାଚନ ଲଢ଼ିବାକୁ ଆଗ୍ରହୀ। ଅନୁଗୁଳରେ ନିଜକୁ ଯୁବନେତା ବୋଲାଉଥିବା ବିମଳ ବେହେରା ପର୍ଜଙ୍ଗରେ ଏଥିପାଇଁ ଡେରା ପକାଇଲେଣି। ସେ ବି ଟିକେଟ୍ ଆଶାରେ ଥିବା ବେଳେ ପର୍ଜଙ୍ଗବାସୀ ଅନୁଗୁଳର ଯୁବନେତାଙ୍କୁ କେତେ ଦୂର ଗ୍ରହଣ କରିବେ ସେନେଇ ଟିକେଟ୍ ବଣ୍ଟା ପୂର୍ବରୁ ସ୍କ୍ରିନିଂ କମିଟିରେ ବିଚାର ବିମର୍ଶ ଚାଲିଛି।

ସେହିପରି ୨୦୧୪ରେ ୧୮ହଜାର ଭୋଟ୍ ପାଇଥିବା ସନ୍ତୋଷ ରାଉତ କଂଗ୍ରେସର ଟାଣୁଆ ନେତା ଓ ୨୦୧୪ରେ ସ୍ବାଧୀନ ଭାବେ ଲଢ଼ି ୯ହଜାର ଭୋଟ୍ ପାଇଥିବା ବିଶ୍ବତୋଷ ସାହୁ ବି କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ। ହାଇକୋର୍ଟର ଆଇନଜୀବୀ ରମେଶ ବେହେରାଙ୍କ କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟର ଟିକେଟ୍ ଆଶାକୁ ବି ଉଜ୍ଜୀବିତ କରିଥିବା ବେଳେ ବିଜେପିର ନିରାକାର ପ୍ରଧାନ କଂଗ୍ରେସରୁ ଲଢ଼ିବାକୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏଥର ଯଦି ମହିଳା କାର୍ଡ଼ ଖେଳେ ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଯଶସ୍ବିନୀ ରାଉତ ବି ଲଢ଼ି ପାରନ୍ତି ବୋଲି କୁହାଯାଉଛି।

ଅପରପକ୍ଷେ ଶାସକ ବିଜେଡ଼ି ଟିକେଟ୍ ଦୌଡ଼ରେ ଏବେ ସୁଦ୍ଧା ଏକମାତ୍ର ହକଦାର ଅଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ। ଅଶୀ ଦଶକରେ ସେତେବେଳେ ଅବିଭକ୍ତ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ଥରେ ପରାଜିତ ହେବାପରେ ୧୯୯୦ରେ ହୋଇଥିଲେ ପ୍ରଥମ ବିଧାୟକ। ୧୯୯୫ରେ ସ୍ବଳ୍ପ ଭୋଟରେ ପରାଜିତ ହେବାପରେ ଡେଇଁଥିଲେ ବିଜେପିକୁ। ସ୍ବଳ୍ପ କାଳ ବିଜେପି ନେତା ବୋଲାଇବା ପରେ ପୁଣି ଡେଇଁଥିଲେ କଂଗ୍ରେସକୁ। ୨୦୦୪ମସିହାରେ ଦ୍ବିତୀୟ ଥର ପାଇଁ ହୋଇଥିଲେ କଂଗ୍ରେସର ବିଧାୟକ। ଶାସନରେ ଥାଇ କଂଗ୍ରେସରୁ ସିଧା ଡେଇଁଥିଲେ ବିଜେଡିକୁ। ୨୦୦୯ରୁ ଆଜି ଯାଏ ଲଗାତାର ଦଶନ୍ଧି କାଳ ଶାସନରେ ସେ ରହି ଆସିଛନ୍ତି। କିନ୍ତୁ ଏବେ ତାଙ୍କ ବଡ଼ ପୁଅ ଅଜିତ୍ ସାହୁ ବିଜେଡି ମଙ୍ଗ ସମ୍ଭାଳିଲେଣି। ପୂର୍ବରୁ ଦଳର ଆଢୁଆଳରେ ରହି ବାପାଙ୍କ କାମ ତୁଲାଉଥିବା ପୁଅଙ୍କୁ ବିଭିନ୍ନ ସଭା, ସମିତିର ମଞ୍ଚରେ ଏବେ ଦେଖିବାକୁ ମିଳିଲାଣି। ତେଣୁ ମନ୍ତ୍ରୀ ନୃସିଂହ ସାହୁ ନିର୍ବାଚନରୁ ଓହରିଲେ ତାଙ୍କ ପୁଅଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ପଦ୍ମ ଦଳିଆରେ ଏକକ ନେତୃତ୍ବ କର୍ମୀଙ୍କୁ ଏକତ୍ର କରିଛି। ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କୁ ଦଳ ଏଥର ପ୍ରାର୍ଥୀ କରାଇବ ବୋଲି ଆପାତତଃ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ପର୍ଜଙ୍ଗ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀ ମାନ୍ୟତା ପାଇବା ପରେ ବିଭୂତିଙ୍କୁ ବିଜେପି ପ୍ରାର୍ଥୀ କରାଇ ଆସୁଛି। ୨୦୦୯ ଏବଂ ୨୦୧୪ରେ ସ୍ବଳ୍ପ ଭୋଟରେ ତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ଯେହେତୁ ପୂର୍ବ ଅପେକ୍ଷା ଏଥର ଦଳର ସ୍ଥିତି ସୁଦୃଢ଼ ହୋଇଛି ତେଣୁ ବିଜୟ ଆଶା ବାନ୍ଧି ବସିଛନ୍ତି ଗେରୁଆ କ୍ୟାମ୍ପ । ପର୍ଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ପାଇଁ ଗୋଟିଏ ଗୋଟିଏ ନେତୃତ୍ବକୁ ସ୍ବୀକାର କରି ନେଇଥିବା ବେଳେ କଂଗ୍ରେସର ଅଧ ଡଜନ ଆଶାୟୀ ରାଜନୀତିକୁ ଗୋଳିଆ କରି ଦେଇଛି ।