ପାକ୍ ଗୁଳିମାଡରୁ ରକ୍ଷା ପାଇବା ପାଇଁ ଏଲଓସିରେ ନିର୍ମାଣ ହେଲା ବଙ୍କର ! ୧୦୨ ବଙ୍କରରେ ରହିବେ ୧୫ ଶହ ଲୋକ

24

ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନର ମୁକାବିଲା ପାଇଁ ନିର୍ମାଣ ହେଲା ବଙ୍କର । ଜମ୍ମୁ କଶ୍ମୀର ନିୟନ୍ତ୍ରଣା ରେଖା ନିକଟରେ ପ୍ରଶାସନ ପକ୍ଷରୁ ଘର ଗୁଡିକରେ ୧୦୨ଟି ବଙ୍କର ନିର୍ମାଣ କରାଯାଇଛି । ଫଳରେ ପାକ୍ ପାଟ ଗୁଳିମାଡ ହେଲେ ସାଧାରଣ ଲୋକେ ସୁରକ୍ଷିତ ଭାବେ ବଙ୍କର ଭିତରେ ରହିପାରିବେ ।

ଭାରତ-ପାକ୍ ସୀମାରେ ନାଗରିକଙ୍କୁ ସୁରକ୍ଷା ଦେବ ବଙ୍କର । ୨୦୧୭ରେ ପାକର ଅସ୍ତ୍ରବିରତୀ ଉଲ୍ଲଙ୍ଘନ ଯୋଗୁଁ ସୀମା ନିକଟର ୧୮୦ଘର କ୍ଷତିଗ୍ରସ୍ତ ହେବା ସହ ୮ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ଆଖି ଆଗରେ ରଖି ଜମ୍ମୁ କଶ୍ମୀରର ରାଜୌରୀରେ ପ୍ରଶାସନ ପକ୍ଷରୁ ୧୦୨ଟି ବଙ୍କର ନିର୍ମାଣ କରାଯାଇଛି । ଏହାଦ୍ୱାରା ପାକ୍ ପଟୁ ଗୁଳିମାଡ କରାଗଲେ ଏବଂ ଜରୁରୀ ପରିସ୍ଥିତିରେ ଏହି ବଙ୍କର ଗୁଡିକରେ ପ୍ରାୟ ୧୫ଶହ ଲୋକ ସୁରକ୍ଷିତ ଭାବେ ରହିପାରିବେ ।

ସୀମାରେ ଥିବା ଘର ଗୁଡିକ ଭିତରେ ଏହି ବଙ୍କର ନିର୍ମାଣ କରାଯାଇଛି । ସ୍ୱତନ୍ତ୍ର ଡିଜାଇନରେ ଏହି ନିର୍ମାଣ କରାଯାଇଥିବା ଯୋଗୁଁ ପାକ୍ ପଟୁ ହେଉଥିବା ଗୁଳି ଓ ମୋର୍ଟାର ମାଡ, ଏହି ବଙ୍କର ଗୁଡିକୁ କୌଣସି କ୍ଷତି ପହଂଚାଇପାରିବ ନାହିଁ । ଗୋଟିଏ ବଙ୍କର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ଅଢେଇ ଲକ୍ଷ ଟଙ୍କା । ମନରେଗା ଓ ଆପେକ୍ସ ଫଣ୍ଡରୁ ମିଳିଥିବା ଟଙ୍କାରେ ଏହା ନିର୍ମାଣ କରାଯାଇଛି । ତେବେ ସୀମାରେ ଏପରି ବଙ୍କର ନିର୍ମାଣ ଦ୍ୱାରା ଅସ୍ତ୍ରବିରତୀ ସମୟରେ ବି ସ୍ଥାନୀୟ ଲୋକେ ସୁରକ୍ଷିତ ରହିପାରିବେ ବୋଲି ଖୁସି ଜାହିର କରିଛନ୍ତି । ଜିଲ୍ଲାର ୬ଟି ତହସିଲର ପ୍ରାୟ ୭୨ଟି ଗାଁ ଦେଇ ଯାଇଥିବା ପ୍ରାୟ ୧୨୦କିଲୋମିଟର ରାସ୍ତା ଭାରତ ପାକ୍ ସୀମାକୁ ଲାଗିଛି । ଏଥିରୁ ପ୍ରାୟ ୨୨ଟି ଗାଁକୁ ପାକ୍ ସବୁବେଳେ ଟାର୍ଗେଟ କରୁଥିବାରୁ ସେଠାରେ ଏହି ବଙ୍କର ନିର୍ମାଣ କରାଯାଇଛି ।