ଦୁଷ୍କର୍ମର ୨ଟି ଘଟଣାକୁ ନେଇ ଦୋହଲିଗଲା ସାରା ଦେଶ! ଚାକିରି ପାଇଁ ଆସିଥିବା ଯୁବତୀଙ୍କୁ ବଳାତ୍କାର କଲେ ଯୋଗୀ ସରକାରର ବିଧାୟକ, ଅନ୍ୟପଟେ କାଶ୍ମୀରରେ ୮ ବର୍ଷର କଅଁଳ ଶିଶୁକୁ ଦୁଷ୍କର୍ମ କଲେ ୮ ଯୁବକ

62

ଦେଶକୁ ଦୋହଲାଇଦେଇଛି ଦୁଇଟି ଦୁଷ୍କର୍ମ ଘଟଣା । ଗୋଟିଏ ଘଟଣା ଉତର ପ୍ରଦେଶ ଉନ୍ନାଓର ହୋଇଥିବା ବେଳେ ଅନ୍ୟ ଘଟଣାଟି ଘଟିଛି କାଶ୍ମୀର କାଠୱା ଅଂଚଳରେ । ଉନ୍ନାଓରେ ବିଜେପିର ବାହୁବଳୀ ବିଧାୟକ ଓ ତାଙ୍କ ଭାଇ ଜଣେ ଅସହାୟ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ବି ପୋଲିସର ହାତ ଏହି ବାହୁବଳୀଙ୍କ ପାଖରେ ପହଁଚି ପାରିନାହିଁ । ଆଉ କ୍ୟାମେରା ଆଗରେ କାନ୍ଦି କାନ୍ଦି ଅସହାୟ ପୀଡିତା ଯୁବତୀ ତାଙ୍କୁ ଗିରଫ କରିବାକୁ ଦାବି କରୁଛି । ଅନ୍ୟପଟେ କାଠୱାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ୮ବର୍ଷୀୟା ନାବାଳିକାସହ ହୋଇଛି ଗଣଦୁଷ୍କର୍ମ । ଦୁଇ ଗୋଟି ଘଟଣା ଭିନ୍ନ ଭିନ୍ନ ଅଂଚଳର, ତେବେ ସମାନତା ହେଉଛି ଉଭୟ ଘଟଣାରେ ଅତି ଅମାନବୀୟ ଭାବେ ନାରୀପ୍ରତି ଅତ୍ୟାଚାର କରାଯାଇଛି । ଉନ୍ନାଓ ଦୁଷ୍କର୍ମ ମାମଲାରେ ରାଜନୈତିକ ରଂଗ ଲାଗିଥିବା ବେଳେ କାଠୱା ଦୁଷ୍କର୍ମ ମାମଲାକୁ ନେଇ କାଶ୍ମୀରରେ ସାମ୍ପ୍ରଦାୟିକ ଉତେଜନା ବଢ଼ିବାରେ ଲାଗିଛି ।

ଉତର ପ୍ରଦେଶ ଉନ୍ନାଓର ଅସହାୟ ମହିଳାର କାହାଣୀ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ମହିଳାଙ୍କ ସହ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ବ୍ୟସ୍ତ ହୋଇଯିବେ । ଜଣେ ବିଜେପି ବିଧାୟକ ଓ ତାଙ୍କ ଭାଇ ଜୋର ଜବରଦସ୍ତ ବଳାକ୍ରାର କଲେ ଓ ପୁରା ପୁଲିସ ପ୍ରଶାସନକୁ ନିଜ ହାତରେ ରଖି ମାମଲା ରୁଜୁ ମଧ୍ୟ କରାଇ ଦେଲେନାହିଁ । ଏହି କାହାଣୀ ଯେତିକି ଦୁଃଖଦାୟକ ସେତିକି ଚିନ୍ତାଜନକ ମଧ୍ୟ । ପ୍ରାୟ ୧୦ ମାସ ତଳେ ୨୦୧୭ ଜୁନ ୪ ତାରିଖରେ ଏହି ଯୁବତୀ ଚାକିରି ପାଇଁ ବିଧାୟକଙ୍କ ଘରକୁ ଯାଇଥିଲେ । ଲୋକପ୍ରତିନିଧି ବନିଥିବା ବିଜେପିର ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର୍ ଓ ତାଙ୍କ ଭାଇ ଅତୁଲ ସିଂ ସେଙ୍ଗର୍ ଅତି ଅମାନବୀୟ ଭାବେ ତାଙ୍କ ଅସହାୟତାର ସୁଯୋଗ ନେଇ ଘର ଭିତରେ ବଳାକ୍ରାର କଲେ ।

କିନ୍ତୁ ଆମ ଦେଶର ଆଇନ ବ୍ୟବସ୍ଥା ଏଭଳି ଯେ ବାହୁବଳୀ ନେତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇପାରିଲା ନାହିଁ । ଓଲଟା ପୀଡ଼ିତାଙ୍କ ବାପାଙ୍କୁ ଫସାଇ ବାନ୍ଧିନେଲା ଉତର ପ୍ରଦେଶ ପୁଲିସ୍ । କଥା ସେତିକିରେ ସରିଲା ନାହିଁ, ଜେଲ ଭିତରେ ବାପାଙ୍କୁ ଏଭଳି ମାଡ଼ ଦିଆଗଲା ଯେ ଗତ ୯ ତାରିଖରେ ଅର୍ଥାତ ସୋମବାର ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

ଏତେସବୁ ଘଟିଗଲା ପରେ ଉତର ପ୍ରଦେଶର ଯୋଗୀ ସରକାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଓ କହିଲେ ବିଧାୟକ ତଥା ତାଙ୍କ ଭାଇଙ୍କ ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ ନେବାକଥା ତାହା ସିବିଆଇ ହିଁ ନେବ । ତେବେ ପୀଡ଼ିତା ଯୁବତୀ ଜଣକ କହିଛନ୍ତି ତାଙ୍କ ପରିବାରର ସୁରକ୍ଷା ପାଇଁ ପ୍ରଥମେ ବିଧାୟକ ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଉ । କିନ୍ତୁ ଏ ଯାଏଁ ବାହୁବଳୀ ବିଧାୟକ କୁଲଦୀପ ସିଂ ସେଙ୍ଗର୍ ଓ ତାଙ୍କ ଭାଇ ଅତୁଲ ସିଂ ସେଙ୍ଗରଙ୍କୁ ଗିରଫ କରାଯାଇନାହିଁ ।

ଅନ୍ୟପଟେ କାଶ୍ମୀରର କାଠୱାରେ ମନ୍ଦିର ଭିତରେ ଆଠ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିବା ଭଳି ଏକାଧିକ ଆରୋପ ଲଗାଯାଇଛି । ଘଟଣାର ମୁଖ୍ୟ ସୂତ୍ରଧର କୁହାଯାଉଥିବା ମନ୍ଦିର ଜଗୁଆଳି ସାଂଝୀ ରାମଙ୍କ ବ୍ୟତୀତ କିଛି ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ଆରୋପ ଲଗାଯାଇଛି । ୧୫ ପୃଷ୍ଠାର ଚାର୍ଜସିଟରେ କାଠୱାର ରାସନା ଗାଁର ଏକ ମନ୍ଦିରରେ ନାବାଳିକା ସହ ପ୍ରଥମେ ଗଣ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା କୁହାଯାଇଛି । ଏହାପରେ ନିକଟସ୍ତ ଜଙ୍ଗଲରେ ମୃତଦେହକୁ ଫିଙ୍ଗିଦିଆଯାଇଥିଲା ।