ୱାଙ୍ଖଡେରେ ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ସମ୍ମାନ ପାଇଁ ସଂଘର୍ଷ କରିବ କୁକ୍ ବାହିନୀ, ଡ୍ର ହେଲେ ବି ସିରିଜ ଜିତିବ ଟିମ୍ ଇଣ୍ଡିଆ

33

କନକ ବ୍ୟୁରୋ : ମୁମ୍ବାଇର ୱାଙ୍ଖଡେ ଷ୍ଟାଡିଅମରେ ଆଜିଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ। ଭ୍ରମଣକାରୀ ଦଳ ପାଇଁ ମୁମ୍ବାଇ ଟେଷ୍ଟ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୦-୨ରେ ସିରିଜ ପଛୁଆ ଥିବା କୁକ୍ ବାହିନୀ ୱାଙ୍ଖଡେ ମ୍ୟାଚ୍ ହାରିଲେ ବା ଅମିମାଂଶିତ ରଖିଲେ ସିରିଜ ଜିତିବ ଭାରତ । ୨-୦ରେ ସିରିଜ ଆଗୁଆ ଥିବା ଟିମ୍ ଇଣ୍ଡିଆ, ମୁମ୍ବାଇ ମ୍ୟାଚ ଜିତିଲେ ଚେନ୍ନାଇରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ ପୂର୍ବରୁ ସିରିଜ କବଜା କରିନେବ ।
ତେବେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିଅମରେ ରେକର୍ଡ ଅଧିକାଂଶ ସମୟରେ ଇଂଲଣ୍ଡ ସପକ୍ଷରେ ରହିଆସିଛି । ସେଥିପାଇଁ ମୁମ୍ବାଇରେ ନିଜର ପୂର୍ବ ସଫଳତା ଦୋହରାଇବାକୁ ଚେଷ୍ଟା କରିବ ଇଂଲଣ୍ଡ। ସେପଟେ ବିଶାଖପାଟଣା ଓ ମୋହାଲିରେ ଖେଳାଯାଇଥିବା ମ୍ୟାଚରେ କୁକ ବାହିନୀକୁ ଧରାଶାୟୀ କରିଥିଲେ ଭାରତୀୟ ସ୍ପିନର । ମୁମ୍ବାଇରେ ମଧ୍ୟ ପିଚ୍ ଓ ପାଗ ସ୍ପିନରଙ୍କୁ ସୁହାଇବ ବୋଲି କ୍ୟୁରେଟର ସଂକେତ ଦେଇଛନ୍ତି । ଯାହା ଇଂଲଣ୍ଡ ପାଇଁ ଭଲ ଖବର ହୋଇନପାରେ ।