ଆସିଲାନି ୧୦୮ ଆମ୍ବୁଲାନ୍ସ : ସ୍ଥାନୀୟ ଯୁବକ ରୋଗୀଣା ମହିଳାଙ୍କୁ ଲୁଗାରେ ବୋହିଲେ ୭ କିଲୋମିଟର ରାସ୍ତା, ସରକାରଙ୍କ ଯୋଜନା କାହା ପାଇଁ ?

51

କନକ ବ୍ୟୁରୋ : ମାଗଣାରେ ଗରିବଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଏହି ସେବା ରାଜ୍ୟର ସମସ୍ତ ଜନସାଧାରଣ ମାଗଣାରେ ପାଇପାରିବେ । ଅନେକ ଉପାନ୍ତ ଅଞ୍ଚଳର ରୋଗୀମାନଙ୍କୁ ମେଡିକାଲରେ ପହଞ୍ଚାଇବା ଲାଗି ସରକାର ଏହି ଯୋଜନା କରିଛନ୍ତି । ତେବେ ପ୍ରକୃତ ସମୟରେ ଏହି ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚୁନଥିବା ଅନେକ ଅଭିଯୋଗ ହେଉଛି ବା ତାହାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଉପାନ୍ତ ଅଞ୍ଚଳର କଲ୍ୟାଣସିଂହପୁର ଲଣ୍ଡାବାଲ ଗ୍ରାମରେ ।

ଗାଁ ର ଜଣେ ମହିଳାଙ୍କ ଦେହ ହଠାତ ଖରାପ ହେବା କାରଣରୁ ତାଙ୍କ ସମ୍ପର୍କୀୟମାନେ ସରକାରଙ୍କ ପକ୍ଷରୁ ଉପଲବ୍ଧ ହେଉଥିବା ମାଗଣା ଆମ୍ବୁଲାନ୍ସ ୧୦୮ କୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ନିକଟ ସମ୍ପର୍କୀୟ ଓ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ମହିଳାଙ୍କୁ ଏକ ଲୁଗାରେ ବାଉଁଶ ଦେଇ ବୋହିକି ଆଣିବାର ଦେଖାଦେଇଛି । ତେବେ ଗ୍ରାମଠାରୁ ୬ କିଲୋମିଟର ଆସିଲା ପରେ ଏକ ଯାତ୍ରୀବାହୀ ଅଟୋରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ଜଣାପଡିଛି । ତେବେ ଅନେକ ସମୟରେ ଉପାନ୍ତ ଅଞ୍ଚଳରେ ଏପରି ଭାବରେ ଲୋକମାନେ ଅସୁବିଧାର ସମୁଖୀନ ହେଉଛନ୍ତି ।

 

ତେବେ ମହିଳାଙ୍କ ପୁଅ କହିଛନ୍ତି ଯେ, ଆମେ ସକାଳୁ ୩ ରୁ ୪ ଥର ୧୦୮ କୁ ଫୋନ କରିଥିଲୁ କିନ୍ତୁ ସେ ଆସିଲେ ନାହିଁ । ତେଣୁ ମା’ର ଦେହ ଖରାପ ବଢିବାରୁ ଲୁଗାରେ ବୋହିକୁ ମେଡିକାଲକୁ ନେଲୁ । ଆମେ ତ ଗରିବ ଲୋକ ଏତେ ପଇସା କଉଠୁ ଆଣିବୁ ଯେ, ଅଲଗା ଗାଡିରେ ମେଡିକାଲ ନେବୁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଲୋକମାନଙ୍କ ପାଖରେ ତାହା ପହଞ୍ଚିପାରୁନାହିଁ । ତେବେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲା ପରେ ଜଣାପଡିଛି ଯେ, ସେ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଡାକ୍ତର ଚିକିତ୍ସା କରିବା ସହ ଔଷଧ ଦେଇଥିବା ପରିବାର ପକ୍ଷରୁ ସୂଚନା ଦେଇଛନ୍ତି ।