ନେତାଙ୍କ ପରୀକ୍ଷା ପ୍ରସଙ୍ଗର ପରୀକ୍ଷା ! ଗୁଜରାଟ ନିର୍ବାଚନ କହିବ କିଏ ପାସ କିଏ ଫେଲ?

27

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାର ପରୀକ୍ଷା ନୁହେଁ ବରଂ ଏହି ନିର୍ବାଚନ ମୋଦିଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ରାଜନୈତିକ ପ୍ରସଙ୍ଗ ପ୍ରତି ଜନତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବ।

ବିମୁଦ୍ରାକରଣ-
ବିମୁଦ୍ରାକରଣ ନିଷ୍ପତ୍ତି ପରେ ୟୁପି ନିର୍ବାଚନରେ ବିଜେପି ବାଜିମାତ୍ କରିଥିଲେ ମଧ୍ୟ ଗୁଜରାଟରେ ବ୍ୟବସାୟୀଙ୍କ ଏକ ବଡ ସଂଖ୍ୟା ଓ ରାହୁଲ ଗାନ୍ଧୀ ଏହାକୁ ପ୍ରସଙ୍ଗ କରିବା ପରେ ଏହି ନିଷ୍ପତ୍ତିର ଏକ ବଡ ପରୀକ୍ଷା ହେବାକୁ ଯାଉଛି । ଜଣାପଡିବ ମୋଦିଙ୍କ ଏହି ନିଷ୍ପତ୍ତିକୁ ଗୁଜରାଟବାସୀ କେମିତି ଗ୍ରହଣ କରିଛନ୍ତି ।

ଜିଏସଟି-
ବିମୁଦ୍ରାକରଣ ପରେ ସାରାଦେଶରେ ଏକ ବଡଧରଣ ଆର୍ଥିକ ସଂସ୍କାର ସ୍ୱରୂପ ଜିଏସଟି ଲାଗୁକଲେ ମୋଦି ସରକାର । ଗୁଜରାଟରେ ଅଧିକାଂଶ ବ୍ୟବସାୟୀ ହୋଇଥିବାରୁ ଜିଏସଟିକୁ ଗବର ସିଂ ଟ୍ୟାକ୍ସ କହି ବାରମ୍ବାର ଆକ୍ରମଣ କରିଛନ୍ତି ପ୍ରତିପକ୍ଷ ରାହୁଲ ଗାନ୍ଧୀ । ତେଣୁ ଗୁଜରାଟ ଫଳାଫଳ ଉଭୟ ବିମୁଦ୍ରାକରଣ ଓ ଜିଏସଟି ଭଳି ନିର୍ଣ୍ଣୟର ଫଇସଲା କରିପାରେ ।

ମୋଦିଙ୍କ ଲୋକପ୍ରିୟତା-
ଯଦି ଏକଜିଟ ପୋଲ ପୂର୍ବାନୁମାନ ସତହୁଏ ତାହାହେଲେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ତାଙ୍କ ନିର୍ଣ୍ଣୟର ଲୋକପ୍ରିୟତାକୁ ଦର୍ଶାଇବ । ଏବଂ ୨୦୧୪ରେ ଯେଉଁ ମୋଦି ହାୱା ସାରା ଦେଶରେ ବହିଥିଲା ତାହା ଏବେ ବି ବଳବତ୍ତର ରହିଛି ବୋଲି ପ୍ରମାଣ ମିଳିବ । ୨୦୧୯ରେ ଫାଇନାଲ ଫାଇଟ ପାଇଁ ଏହା ଉଭୟ ମୋଦି ଓ ବିଜେପିକୁ ଫାଇଦା ଦେବ ।

ରାହୁଲଙ୍କ ଗ୍ରହଣୀୟତା-
ଗୁଜରାଟ ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଇଥିବା ରାହୁଲ ଗାନ୍ଧୀଙ୍କ ପାଇଁ ବି ଫଳାଫଳ ବିଶେଷ ଗୁରୁତ୍ୱ ରଖେ । କାରଣ ରାହୁଲଙ୍କୁ ଜଣେ ବାହାରି ନେତା କହି ବାରମ୍ବାର ଆକ୍ରମଣ କରିଛନ୍ତି ମୋଦି ଓ ବିଜେପି ନେତାମାନେ । ଯଦି ଏକଜିଟ ପୋଲ ପୂର୍ବାନୁମାନର ବିପରୀତ ଫଳହୁଏ ତାହାହେଲେ ଜାତୀୟ ରାଜନୀତିରେ ମୋଦିଙ୍କୁ ଟକ୍କର ଦେବାପାଇଁ ଆଉଜଣେ ନେତାଙ୍କୁ ସାମ୍ନାକୁ ଆଣିବେ ଗୁଜରାଟବାସୀ ।

ସରକାର ବିରୋଧୀ ହାୱା-
ଗୁଜରାଟରେ ବିଜେପି କ୍ଷମତା ବଜାୟ ରଖିବାକୁ ସମର୍ଥ ହେଲେ ଷଷ୍ଠଥର ପାଇଁ ଉଡିିବ ଗେରୁଆ ବାନା । ଆଉ ଏତେବର୍ଷ କ୍ଷମତାରେ ରହିବା ପରେ ବି ଲୋକମତ ଭାରତୀୟ ଜନତା ପାର୍ଟି ବିରୋଧରେ ନାହିଁ ବୋଲି ପ୍ରମାଣ ମିଳିବ ।

ଜାତି ଭୋଟ୍-
ଗୁଜରାଟ ନିର୍ବାଚନର ଏକ୍ସ ଫ୍ୟାକ୍ଟର କୁହାଯାଉଥିବା ପଟ୍ଟିଦାର ସଂପ୍ରଦାୟର ଭୋଟ କାହା ସପକ୍ଷରେ ଯିବ । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ କଂଗ୍ରେସକୁ ସମର୍ଥନ ଦେଇଥିବା ହାର୍ଦ୍ଦିକ ପଟେଲ ଜନମତକୁ ପ୍ରଭାବିତ କରିପାରୁଛନ୍ତି ନା ନାହିଁ ତାହା ମଧ୍ୟ ସୋମବାର ସ୍ପଷ୍ଟ ହୋଇଯିବ । ଓବିସି ଓ ଦଳିତ ନେତାଙ୍କୁ ଅଣଦେଖା କରିଥିବା ବିଜେପିକୁ ଏହାର କି ଫଳ ମିଳିବ ?