କମିନି ମୋଦି ହାୱା ! ଆଜି ଭୋଟ ହେଲେ ଏନଡିଏକୁ ମିଳିବ ବହୁମତ, ଜାତୀୟ ଗଣମାଧ୍ୟମର ସର୍ଭେରେ ମୋଦିଙ୍କୁ ପୁଣି କ୍ଷମତାର ଡୋରୀ

210

ଏବେ ଭୋଟ ହେଲେ କ’ଣ ହେବ ଫଳାଫଳ? ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ମନ ଭିତରେ ସେତିକି ବଢୁଛି ଉକ୍ରଣ୍ଠା । ତେବେ ଇଣ୍ଡିଆ ଟୁଡେ ଓ ଏବିପି ନ୍ୟୁଜର ସର୍ଭେ କହୁଛି ପୁଣି ଥରେ ଏନଡିଏ ଗଢିବ ସରକାର । ହେଲେ ୨୦୧୪ ତୁଳନାରେ ଲୋକସଭାରେ ହ୍ରାସ ପାଇବ ଏନଡିଏର ଆସନ ସଂଖ୍ୟା । ୟୁପିଏର ଭୋଟ ପ୍ରତିଶତ ବଢିବ, ସିଟ୍ ସଂଖ୍ୟା ବୃଦ୍ଧି ହେବ, ହେଲେ ଏନଡିଏ ଠାରୁ ବହୁ ପଛରେ ପଡିଯିବ ୟୁପିଏ । ସେହିପରି ପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ପ୍ରଥମ ପ୍ରସନ୍ଦ ନରେନ୍ଦ୍ର ମୋଦି ବୋଲି ସର୍ଭେ ରିପୋର୍ଟ ମତ ଦେଇଛି ।

modi-l-ptiବର୍ତମାନ ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ବହୁମତ । ୨୦୧୪ ତୁଳନାରେ ଆସନ ସଂଖ୍ୟା କମିବ । ହେଲେ ମୋଦି ସରକାରଙ୍କୁ ପୁଣି ଥରେ ସମର୍ଥନ ଦେବେ ଦେଶବାସୀ । ଏଭଳି ଆକଳନ କରିଛି ଇଣ୍ଡିଆ ଟୁଡେ ଓ କାର୍ଭି ଓପିନିୟନ୍ ପୋଲ୍ । ସର୍ଭେ କହୁଛି ଏନଡିଏକୁ ମିଳିବ ୩୦୯ ଆସନ । ୟୁପିଏକୁ ମିଳିବ ୧୦୨ଟି ସିଟ୍ । ଅନ୍ୟ ଦଳଗୁଡିକୁ ଯାଇପାରେ ୧୩୨ଟି ଆସନ । ସେହିପରି ଏହି ସର୍ଭେ ରିପୋର୍ଟ କହୁଛି ମୋଦିଙ୍କ ନେତୃତ୍ୱରେ ଏନଡିଏକୁ ମିଳିବ ୪୦ ପ୍ରତିଶତ ଲୋକଙ୍କ ସମର୍ଥନ । ଆଉ ରାହୁଲଙ୍କ ନେତୃତ୍ୱରେ ୟୁପିଏକୁ ମିଳିବ ୨୭ ପ୍ରତିଶତ ଭୋଟ ।

ସେହିପରି ଏବିପି ଓ ସିଏସଡିଏସ୍ ସର୍ଭେ ମଧ୍ୟ ଏନଡିଏ ବହୁମତ ପାଇବ ବୋଲି ଅନୁମାନ କରିଛି । ହେଲେ ପୂର୍ବ ତୁଳନାରେ ୩୫ଟି ଆସନ ହ୍ରାସ ପାଇବ ବୋଲି ଆକଳନ କରିଛି । ତେବେ ଏନଡିଏକୁ ୩୦୧ ଆସନ ଦେଇଥିବା ବେଳେ ୟୁପିଏକୁ ୧୨୭ଟି ଆସନ ଦେଇଛି ଏବିପି ଓପିନିୟନ ପୋଲ୍ । ସେପଟେ ଅନ୍ୟାନ୍ୟ ଦଳଗୁଡିକ ୧୧୫ଟି ଆସନ ପାଇବେ ବୋଲି ଅନୁମାନ କରିଛି ଏହି ସର୍ଭେ । ଏବିପି ସର୍ଭେ ରିପୋର୍ଟ କହୁଛି ୩୭ ପ୍ରତିଶତ ଲୋକଙ୍କ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଦେଖିବାକୁ ଚାହାନ୍ତି । ତେବେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ୨୦% ଲୋକ ।

ସେପଟେ ଇଣ୍ଡିଆ ଟୁଡେ ଓ କାର୍ଭି ପକ୍ଷରୁ ହୋଇଥିବା ଓପିନିୟନ ପୋଲରେ ୫୩ ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ ପ୍ରତିଶତ ଲୋକଙ୍କ ମତ ରାହୁଲ ଗାନ୍ଧି ହୋଇପାରିବେ ଭଲ ପ୍ରଧାନମନ୍ତ୍ରୀ । ତେବେ ଦେଶର ୪ ପ୍ରତିଶତ ଲୋକ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ।