ବାୟୁସେନା ଅଧିକାରୀଙ୍କୁ ହନିଟ୍ରାପରେ ଫସାଇଲା ପାକିସ୍ତାନ ! ସୁନ୍ଦରୀ ଯୁବତୀ ବଦଳରେ ଶତ୍ରୁଦେଶ ହାତକୁ ଟେକିଦେଲେ ଦେଶର ଗୁପ୍ତ ସୁରକ୍ଷା ତଥ୍ୟ

43

କନକ ବ୍ୟୁରୋ : ସୀମାରେ ସଇତାନୀ କରୁଥିବା ପାକିସ୍ତାନ, ଏବେ ସୁନ୍ଦରୀ ଝିଅଙ୍କୁ ଢାଲ କରି ଚଳାଇଛି ଗୁଇନ୍ଦାଗିରି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏପରି ଏକ ଘୃଣ୍ୟ ଯୋଜନାର ପର୍ଦ୍ଦାଫାସ ହୋଇଛି । ବାୟୁସେନାର ଗ୍ରୁପ କ୍ୟାପଟେନ୍ ଅରୁଣ ମାରୱାଙ୍କୁ ହନିଟ୍ରାପରେ ଫସାଇ ଦେଶ ସୁରକ୍ଷାର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଛି ପାକିସ୍ତାନ । ଅଭିଯୁକ୍ତ ଗ୍ରୁପ କ୍ୟାପଟେନଙ୍କୁ ଗିରଫ କରି ପଚାରାଉଚରା କରୁଛି ଦିଲ୍ଲୀ ପୋଲିସ । ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ହନିଟ୍ରାପ ମାଧ୍ୟମରେ ଫସାଇ ଦେଲା ପାକିସ୍ତାନ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଚାଲରେ ଫସିଗଲେ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ । ଆଇଏସଆଇର ଜଣେ ସୁନ୍ଦରୀ ମହିଳା ଏଜେଂଟଙ୍କୁ ଅନଲାଇନରେ ପ୍ରେମ କରିବସିଲେ ଏହି ଅଧିକାରୀ । ଆଉ ଶତ୍ରୁ ହାତରେ ଟେକିଦେଲେ ଦେଶର ସୁରକ୍ଷା ।

ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଅରୁଣ ମାରୱା । ୫୧ ବର୍ଷୀୟ ଏହି ଅଧିକାରୀଙ୍କର ଫେସବୁକରେ ହୋଇଥିଲା ସୁନ୍ଦରୀ ଝିଅ ସହ ବନ୍ଧୁତା । ଦୁଇଟି ଫେସବୁକ୍ ଆକାଉଂଟରେ ଅନଲାଇନରେ ଚାଟିଂ କରୁ କରୁ ବଢିଥିଲା ଘନିଷ୍ଠତା । ପ୍ରେମ ନିବେଦନ ପରେ ଆରମ୍ଭ ହୋଇଥିଲା ଅଶ୍ଲୀଳ ଫଟୋ ଦିଆନିଆ । ଏମିତି ହେଉ ହେଉ ଅନ୍ଧ ପ୍ରେମର ଫାନ୍ଦରେ ପଡିଯାଇଥିଲେ ଗ୍ରୁପ୍ କ୍ୟାପଟେନ୍ ଅରୁଣ ମାରୱା । ହେଲେ ଏହାର ପରିଣାମ ଏତେ ଭୟଙ୍କର ହେବ ବୋଲି ଅନୁମାନ କରିନଥିଲେ ଏହି ଅଧିକାରୀ । ମଡେଲ୍ ଭାବି ଯେଉଁ ସୁନ୍ଦରୀ ଝିଅ ସହ ସେ ପ୍ରେମ କରୁଥିଲେ, ସେ ଥିଲା ଆଇଏସଆଇ ଏଜେଂଟ । ମାତ୍ର ସେତେବେଳକୁ ପ୍ରେମରେ ଅନ୍ଧ ହୋଇଯାଇଥିଲେ ଗ୍ରୁପ୍ କ୍ୟାପଟେନ୍ ଅରୁଣ ମାରୱା ।

IAF officer in honey trap arrested on suspicion of passing on secrets

ପ୍ରେମିକାଙ୍କ ସହ ଶାରୀରିକ ସଂପର୍କ ରଖିବା ପ୍ରତିବଦଳରେ ପାକିସ୍ତାନକୁ ଦେଇଚାଲିଥିଲେ ଗୋଟିଏ ପରେ ଗୋଟିଏ ଗୁପ୍ତ ତଥ୍ୟ । ନିଜ ସ୍ମାର୍ଟ ଫୋନରେ ହ୍ୱାଟ୍ସଆପ୍ ଜରିଆରେ ବାୟୁସେନାର ଆକ୍ରମଣ ଅଭ୍ୟାସର ଚିତ୍ର ଓ ଡକ୍ୟୁମେଂଟ୍ ପଠାଉଥିଲେ । ମାତ୍ର ଅଧିକ ଦିନ ବାୟୁସେନାର ଗୁଇନ୍ଦା ବିଭାଗର ଆଖିକୁ ଏଡାଇ ପାରିନଥିଲେ । କିଛି ଦିନ ତଳେ ଏହି ଘଟଣା ଜଣାପଡିବା ପରେ ତାଙ୍କୁ ଅଟକ ରଖି ପଚରା ଉଚରା ପରେ ସତ ସାମନାକୁ ଆସିଥିଲା ।

ଏବେ ଜାଣନ୍ତୁ ଗ୍ରୁପ୍ କ୍ୟାପଟେନ୍ ଅରୁଣ ମାରୱାଙ୍କ କ୍ୟାରିୟର ଉପରେ . . . 

– ବାୟୁସେନା ମୁଖ୍ୟାଳୟରେ ପାରାଚୁଟ୍ ଅପରେସନର ଥିଲେ ନିର୍ଦ୍ଦେଶକ

– ପାରାଚୁଟ୍ ଜମ୍ପ୍ ପାଇଁ ବାୟୁସେନା ଯବାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ ଅରୁଣ

– ୩ ହଜାର ଥର ଦୁଃସାହସିକ ପାରା ଜମ୍ପିଂ ନେଇ ରହିଛି ରେକର୍ଡ

 

କଟକଣା ସତ୍ୱେ ଗତ ଡିସେମ୍ବରରେ ହେଡକ୍ୱାର୍ଟରକୁ ଫୋନ ନେଇ ଯାଉଥିବା ଜଣାପଡିବା ପରେ ତାଙ୍କର ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା ବାୟୁ ସେନାର ଗୁଇନ୍ଦା ବିଭାଗ । ଗତ ଡିସେମ୍ବର ମଧ୍ୟଭାଗରେ ସେ ହନିଟ୍ରାପରେ ଫସି ଯାଇଥିବା ଜଣାପଡିଥିଲା । ଜାନୁଆରୀ ୩୧ରେ ଅଟକ ରଖାଯିବା ପରେ ଅରୁଣ ମାରୱାଂକୁ ଗିରଫ କରାଯାଇଛି । କୋର୍ଟରେ ହାଜର କରିବା ପରେ ୫ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ ।