ଦମ୍ ଦେଖାଇଲା ବାୟୁ ସେନା । ୮୬ ତମ ପ୍ରତିଷ୍ଠା ଦିବସ ଅବସରରେ ଗାଜିଆବାଦ ବିମାନଘାଟିରେ ବୀର ଯବାନଙ୍କ ପରାକ୍ରମ ପ୍ରଦର୍ଶନ

66

କନକ ବ୍ୟୁରୋ: ଦମ୍ ଦେଖାଇଲା ବାୟୁ ସେନା । ଆଜି ଭାରତୀୟ ବାୟୁସେନା ପାଳନ କରୁଛି ୮୬ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବାୟୁସେନା ପକ୍ଷରୁ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଏହି ଅବସରରେ ବାୟୁ ସେନାର ଯବାନମାନେ ପ୍ୟାରେଡ୍ କରି ରିହର୍ସାଲ କରିଛନ୍ତି । ଭୁପୃଷ୍ଠରୁ ଆକାଶ ସବୁଠି ନିଜର ପରାକ୍ରମ ପ୍ରଦର୍ଶନ କରିଛନ୍ତି ବାୟୁସେନାର ବୀର ଜୀବନ । ପାରାଚ୍ୟୁଟ୍ ମାଧ୍ୟମରେ ଉଚ୍ଚ ଆକାଶ ମାର୍ଗରୁ ଡେଇଁ ଶକ୍ତି ପ୍ରର୍ଦଶନ କରିଛନ୍ତି ବୀର ଯବାନ ।

ମିରାଜ୍, ସୁଖୋଇ, ଜାଗୁଆର ଓ ସୂର୍ଯ୍ୟକିରଣ ବିମାନ ଜରିଆରେ ଯବାନ ଦେଖାଇଛନ୍ତି ଅପୂର୍ବ ରଣକୌଶଳ । ଏହି କାର୍ଯ୍ୟକ୍ରମରେ ବାୟୁସେନାର ୪୪ ଜଣ ଅଧିକାରୀ ଓ ୨୫୮ ଜଣ ଯବାନ ନିଜ କୌଶଳ ପ୍ରଦର୍ଶନ କରିଛନ୍ତି । ଗାଜିଆବାଦ୍ ହିଣ୍ଡନ୍ ଏୟାରବେସ୍ରେ କାର୍ଯ୍ୟକ୍ରମ ରଖାଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଆକାଶଗଙ୍ଗା ଟିମ୍ ୮ହଜାର୍ ଫୁଟ୍ ଉପରେ କୌଶଳ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଭାରତର ୩ ବାହିନୀର ମୁଖ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଦେଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମିଶନରେ ବାୟୁସେନା ପ୍ରମୁଖ ଭୂମିକା ତୁଲାଇଛି । ଯୁଦ୍ଧ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ବାୟୁସେନା ନିଜ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରିଛି । ଆଜି ପ୍ରତିଷ୍ଠା ଦିବସରେ ବାୟୁସେନା ପାଇଁ ଦେଶ ଗର୍ବିତ କହି ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା ।