ପିପିସି ସଭାପତି ପଦ ଏକ ମହୁଫେଣା ସଦୃଶ : ନିରଞ୍ଜନ ପଟ୍ଟନାୟକ

21

କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ଏକ ମହୁଫେଣା ସଦୃଶ । ଯେଉଁମାନେ ମହୁ ଖାଇବାକୁ ଚାହୁଁଛନ୍ତି ସେମାନେ ସେଠାରେ ପହଂଚିଲେ ଜାଣିବେ । ପିସିସି ସଭାପତି ପଦ ନେଇ ଏଭଳି ମତ ରଖିିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏପରିକି ସେ ପିସିସି ସଭାପତି କି ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ଏଇ କିଛି ଦିନ ହେବ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ଦାବି ଆଗ ଅପେକ୍ଷା ଟିକେ କମ୍ ଶୁଣିବାକୁ ମିଳୁଛି । କାହିଁକି ନା’ ନିଷ୍ପତି ଏବେ ହାଇକମାଣ୍ଡଙ୍କ ହାତରେ । ନେତା ପରିବର୍ତ୍ତନ ନେଇ ଦାବି କରୁଥିବା ବିଧାୟକ ଦଳ ଦିଲ୍ଲୀ ଦରବାରରେ ନିଜର ଅଭିଯୋଗ ରଖି ସାରିଛନ୍ତି । ଆଉ ଏହାରି ଭିତରେ ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠନେତା ନିରଜଂନ ପଟ୍ଟନାୟକଙ୍କ ବୟାନ ଆସିଛି ପିସିସି ସଭାପତି ନେଇ । ଯେଉଁଥିରେ ସେ କହିଛନ୍ତି- ପିସିସି ସଭାପତି ପଦ ମହୁଫେଣା ସଦୃଶ । ଯିଏ ମହୁ ଖାଇବାକୁ ଯିବ ସିଏ ଜାଣିବ । ଆଉ ନିରଞ୍ଜନଙ୍କ ସହ ସୂର ମିଳାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ପିସିସି ପରିବର୍ତ୍ତନ ନେଇ କଂଗ୍ରେସର ରାଜ୍ୟ ନେତୃବୃନ୍ଦ, ହାଇକମାଣ୍ଡଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ ମଧ୍ୟ ଦିଲ୍ଲୀରୁ ଆସୁନି କୌଣସି ନିଷ୍ପତି । ଆଉ ଏହି ବିଳମ୍ବିତ ନିଷ୍ପତି ଦଳୀୟ ନେତାଙ୍କୁ ଏକ ପ୍ରକାର ନିରୁତ୍ସାହିତ କରିଦେଉଛି । ଏହାରି ଭିତରେ ୩ ଜଣିଆ ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ଦଳ ରାଜ୍ୟ କଂଗ୍ରେସର ସ୍ଥିତି ଅନୁଧ୍ୟାନ କରି ହାଇକମାଣ୍ଡଙ୍କ ରିପୋର୍ଟ ଦେବ । ତେଣୁ ଏହି ନିଷ୍ପତି ଯେତେ ବିଳମ୍ବିତ ହେବ ଏବଂ ଯିଏ ଏହି ପଦ ସଂଭାଳିବେ, ତାଙ୍କ ପାଇଁ ହେବ ଆଗ୍ନି ପରୀକ୍ଷା । କାହିଁକି ନା’ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୨ ବର୍ଷରୁ କମ୍ ସମୟ ବାକି ରହିଲା ।

ଓଡ଼ିଶା କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗିଡୁଥିବା ବେଳେ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଓଡ଼ିଶା ଆସି ଦଳର ସ୍ଥିତି ଅନୁଧ୍ୟାନ କରିବେ । କିନ୍ତୁ ଏପଟେ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇଛନ୍ତି । ଏବଂ ଆଉ ଗୋଟିଏ ଗୋଷ୍ଠୀ ଦିଲ୍ଲୀ ଯିବା ପାଇଁ ଅଂଟା ଭିଡିବସିଛନ୍ତି ।