ବିଶ୍ୱ ହକି ଲିଗ୍ : ବେଲଜିୟମକୁ ହରାଇ ସେମିଫାଇନାଲରେ ଭାରତ

16

କନକ ବ୍ୟୁରୋ : ବିଶ୍ୱ ହକି ଲିଗ୍ ଫାଇନାଲର ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ବେଲଜିଅମକୁ ସଡନ ଡେଥରେ ପରାସ୍ତ କରିଛି ଭାରତୀୟ ହକି ଦଳ । ଦୁଇ ଦଳ ମଧ୍ୟରେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଆଜି ଦେଖିବାକୁ ମିଳିଥିଲା ।

ତେବେ ଚଳିତ ଟୁର୍ଣ୍ଣାମେଂଟରେ ସବୁଠାରୁ ଦମଦାର ପ୍ରଦର୍ଶନ କରିଥିଲା । ମ୍ୟାଚ ଶେଷ ସୁଦ୍ଧା ୩-୩ରେ ବରାବର ରହିଥିଲା । ତେଣୁ ସୁଟ୍ ଆଉଟ୍ କରାଯାଇଥିଲା । ଏହା ମଧ୍ୟ ୨-୨ରେ ବରାବର ରହିଲା । ଫଳରେ ସଡନ ଡେଥ୍ ନିଷ୍ପତି ନେଇଥିଲେ ଅମ୍ପେୟାର । ଏଥିର ପ୍ରଥମ ବଲରେ ହରମିନପ୍ରିତ ସୁନ୍ଦର ଗୋଲ ସ୍କୋର କରି ଦଳକୁ ଆଗୁଆ କରିଥିଲେ । ପରେ ବେଲଜିଅମ ଖେଳାଳି ଆର୍ଥର ଡୋରେନଙ୍କ ସଟ୍ ଚମତ୍କାର ଢଙ୍ଗରେ ରୋକିଥିଲେ କିପର ଆକାଶ ଚିକ୍ତେ । ଫଳରେ ଭାରତ ଏହି ମ୍ୟାଚକୁ ୩-୨ ଗୋଲରେ ଜିତି ନେଇ ସେମିଫାଇନାଲରେ ପହଂଚିଛି ।

ଲିଗ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶଂସକ ନିରାଶ ହୋଇପଡିଥିବା ବେଳେ ଏହି ବିଜୟ ଦଳର ମାନସିକ ସ୍ଥିତିକୁ ଦୃଢ କରିଛି । ଘରୋଇ ଦର୍ଶକଙ୍କ ସମର୍ଥନ ଭିତରେ ଟିମ୍ ଇଣ୍ଡିଆ ଚମତ୍କାର ଖେଳ ପ୍ରଦର୍ଶନ କରି ଅଲମ୍ପିକରେ ରୌପ୍ୟ ପଦକ ବିଜେତାକୁ ପରାସ୍ତ କରିଛି । ସେହିପରି ବେଲଜିଅମ ଓ ଭାରତ ମଧ୍ୟରେ ପ୍ରଥମ ଥର ପାଇଁ ସୁଟ୍ ଆଉଟ୍ କରାଯାଇଥିଲା ।