୭୨ ବର୍ଷ ତଳେ ଆଜି ଘଟିଥିଲା ଇତିହାସର ସବୁଠାରୁ ଭୟଙ୍କର ଯୁଦ୍ଧ : ହିରୋସୀମାରେ ପରମାଣୁ ବୋମା ପକାଇଥିଲା ଆମେରିକା

111

କନକ ବ୍ୟୁରୋ : ଅଗଷ୍ଟ ୬, ୧୯୪୫ । ଜାପାନର ହିରୋସିମା ସହର । ୭୨ ବର୍ଷ ତଳେ ଆଜିର ଦିନରେ ଏମିତି ଏକ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଲା । ସକାଳ ୮ଟା ୧୫ । ଜାପାନର ବଡ ସହର ହିରୋସିମା ଉପରେ ପରମାଣୁ ବୋମା ପକାଇଲା ଆମେରିକା । ଥରିଉଠିଲା ପୁରା ଜାପାନ । ଆଉ କ୍ଷଣିକ ମଧ୍ୟରେ ମାଟିରେ ମିଶିଗଲା ଜାପାନର ଏହି ବଡ ସହର । ଚାରିଆଡେ ହାହାକାର ଓ ମୃତ୍ୟୁର ବିଭୀଷିକା ଦେଖାଦେଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଆମେରିକାର ଏହି ଆକ୍ରମଣରେ ହତବାକ୍ ହୋଇଗଲା ବିଶ୍ୱ । ପରମାଣୁ ବୋମା ଆକ୍ରମଣରେ ୧ ଲକ୍ଷ ୪୦ ହଜାର ପ୍ରାଣ ହରାଇଲେ । ୩୫ ହଜାରରୁ ଅଧିକ ବିକଳାଙ୍ଗ ହୋଇଗଲେ । ବିସ୍ଫୋରଣ ପରବର୍ତ୍ତୀ ଅବସ୍ଥା ତା’ଠୁ ଅଧିକ ଭୟଙ୍କର ଥିଲା । ଜାପାନରେ ବର୍ଷ ବର୍ଷ ଯାଏଁ ରହିଲା ବିକିରଣର ପ୍ରଭାବ ।

ହିରୋସିମାରେ ପଡିଥିବା ଏହି ପରମାଣୁ ବୋମାର ନାଁ ଲିଟିଲ ବୟ । ୧୦ ଫୁଟ୍ ଲମ୍ବ, ଓଜନ ପ୍ରାୟ ୪ହଜାର ୪ ଶହ କିଲୋଗ୍ରାମ । ବୋମା ନିକ୍ଷେପ ପାଇଁ ବ୍ୟବହାର ହୋଇଥିଲା ବୋଇଂ ବି-୨୯ ସୁପରଫର୍ଟିସ ବିମାନ । ବୋମାରେ ବ୍ୟବହାର ହୋଇଥିଲା ୧୫ କିଲୋଟନର ୟୁରାନିୟମ୍ । ଯୁଦ୍ଧ ଇତିହାସ ମଧ୍ୟରେ ଏହା ଥିଲା ପ୍ରଥମ ପରମାଣୁ ବୋମା । ଆଉ ଏହାର ଦୁଇ ଦିନ ପରେ ଜାପାନର ଆଉ ଏକ ସହ ନାଗାସାକିରେ ପଡିଥିଲା ଦ୍ୱିତୀୟ ପରମାଣୁ ବୋମା ଫ୍ୟାଟ ମେନ୍ । ଯେଉଁଥିରେ ୭୪ ହଜାର ଲୋକ ପ୍ରାଣ ହରାଇଲେ । ଅଗଷ୍ଟ ୧୫, ୧୯୪୫ । ସହଯୋଗୀ ଦେଶଙ୍କ ସହ ଆତ୍ମସମର୍ପଣ ଘୋଷଣା କଲା ଜାପାନ । ସେପ୍ଟେମ୍ବର ୨ । ସରେଣ୍ଡର ଡିକ୍ଲାରେସନରେ ଜାପାନ୍ ସରକାର ସାଇନ୍ କରିବା ସହ ଶେଷ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ।

ଘଟଣାକୁ ଏବେ ପୂରିଛି ୭୨ ବର୍ଷ । ତଥାପି ମନରେ ଭୟ ବସା ବାନ୍ଧି ରହିଛି । ବିଭୀଷିକାର ଚିତ୍ର ଏବେ ବି ସ୍ପଷ୍ଟ ହୋଇ ରହିଛି ହୃଦୟରେ । ହେଲେ ବିସ୍ଫୋରଣ ପରେ ପୁଣିଥରେ ଅଂଟା ସଳଖି ଛିଡ଼ା ହୋଇଛି ହିରୋସିମା । ତେବେ ବିଶ୍ୱ କିନ୍ତୁ ଇତିହାସ ପୃଷ୍ଠାରୁ ଲିଭେଇ ପାରିନାହିଁ ବିଶ୍ୱଯୁଦ୍ଧର ଏହି କଳଙ୍କିତ ଫର୍ଦ୍ଦ ।