ମୃତ୍ୟୁ ପାଇଁ ଦାୟୀ କିଏ ! ରାତିର ଅନ୍ଧାରରେ ଖଣ୍ଡଖଣ୍ଡ ହୋଇଗଲା ହୀରାଖଣ୍ଡ

26

କନକ ବ୍ୟୁରୋ : ବୁଲେଟ୍ ଟ୍ରେନ୍ ଓ ସୁପରଟ୍ରେନର ସ୍ୱପ୍ନ ଦେଖୁଥିବା ଭାରତୀୟ ରେଳବାଇକୁ ଆଜି ଏକ ବିରାଟ ଧକ୍କା ଲାଗିଛି । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ର ପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୩୯ ଜଣ ପ୍ରାଣ ହରାଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ସହ ଓଡିଶାର ମୃତକଙ୍କ ପରିବାରକୁ ୫ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘଟଣାସ୍ଥଳରେ ପହଁଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ମାତ୍ର ୨ ମାସର ବ୍ୟବଧାନରେ ଏହା ହେଉଛି ଦ୍ୱିତୀୟ ବଡ ଧରଣର ରେଳ ଦୁର୍ଘଟଣା । ଯାହା ରେଳବାଇର ଯାତ୍ରୀ ସୁରକ୍ଷା ଉପରେ ପ୍ରଶ୍ନ ଲଗାଇଛି ।

ଶନିବାର ଅପରାହ୍ନ ୩ଟାରେ ଛତିଶଗଡର ଜଗଦଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍ । ୨୨ବଗିରେ ଯାତ୍ରା କରୁଥିଲେ ହଜାର ହଜାର ଯାତ୍ରୀ । ସମୟ ପ୍ରାୟ ୧୧ଟା୧୫ ମିନିଟରେ ରାୟଗଡାଠାରୁ ମାତ୍ର ୨୪ କିଲୋମିଟର ଦୂର ଆନ୍ଧ୍ରର କୁନେରୁ ଷ୍ଟେସନ୍ ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଗଲା ହୀରାଖଣ୍ଡ ଏକ୍ସପ୍ରେସ୍ । ଟ୍ରାକ୍ ତଳକୁ ଲଦାଲଦି ହୋଇ ଖସିପଡିଲା ୯ଟି ବଗି । ଯାତ୍ରୀଙ୍କ ଚିତ୍କାରରେ ଚମକି ପଡିଲା ଅନ୍ଧାର ରାତି । ଠପ୍ ହୋଇଗଲା ରାୟଗଡା – ବିଜୟନଗରମ୍ ମଧ୍ୟରେ ଟ୍ରେନ୍ ଚଳାଚଳ ।

ଓଡିଶା ଓ ଆନ୍ଧ୍ର ସହ କେନ୍ଦ୍ରୀୟ ଉଦ୍ଧାରକାରୀ ଦଳ ସାମିଲ୍ ହୋଇଥିଲେ ଟ୍ରେନ୍ ତଳେ ଚାପି ହୋଇ ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ । ଗ୍ୟାସ୍ କଟର୍ ଓ କ୍ରେନ୍ ଯୋଗେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଇଥିଲା । ସେପଟେ ଦିନ ଗଡିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଥିଲା ।

ମୃତକଙ୍କ ପରିଚୟ ଖୋଜି ସେମାନଙ୍କ ପରିବାର ବର୍ଗକୁ ଜଣାଇବା ସହ ଆହତ ଯାତ୍ରୀଙ୍କୁ ରାୟଗଡା ଓ ପାର୍ବତୀପୁରମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ମହାନିର୍ଦେଶକ ପହଂଚିଥିଲେ ରାୟଗଡା ହସ୍ପିଟାଲରେ । ସେପଟେ ରାଜ୍ୟ ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର ଓ ଆହତଙ୍କୁ ହସ୍ପିଟାଲରେ ପହଂଚାଇବାକୁ ସମସ୍ତ ଶକ୍ତି ଖଟାଇଥିଲା । ସାମାନ୍ୟ ଆହତ ଓ ଦୁର୍ଘଟଣାରେ ଫସି ରହିଥିବା ଅନ୍ୟ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଟିଟଲାଗଡ ଅଣାଯାଇଥିଲା ।

ସେପଟେ ଦୁର୍ଘଟଣା ଯୋଗୁଁ ସେହି ରାସ୍ତାର ୭ଟି ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯିବା ସହ ୮ଟି ଟ୍ରେନର ଗତିପଥ ବଦଳା ଯାଇଛି ।