ନୂଆ ବର୍ଷ ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କଲା ହିନ୍ଦୁ ମହାସଭା : ମନ୍ଦିର ସାମ୍ନାରେ କଳା ପତାକା ପ୍ରଦର୍ଶନ

ପାଶ୍ଚାତ୍ୟ ସଂସ୍କୃତିକୁ ପ୍ରଚାର ପ୍ରସାର ନକରାଯାଉ

206

କନକ ବ୍ୟୁରୋ : ବଡଦାଣ୍ଡରେ ବିକ୍ଷୋଭ । ନୂଆ ବର୍ଷର ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କରିଛି ହିନ୍ଦୁ ମହାସଭା । ଶ୍ରୀମନ୍ଦିର ସମ୍ମୁଖରେ କଳାପତାକା ପ୍ରଦର୍ଶନ କରାଯାଇଛି । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କରାଯାଇଛି । ପାଶ୍ଚାତ୍ୟ ସଂସ୍କୃତିକୁ ପ୍ରଚାର ପ୍ରସାର ନକରାଯାଉ ବୋଲି ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଛି । ଜଗନ୍ନାଥଙ୍କ ନୀତି ଯେଉଁ ସମୟରେ ହେବା କଥା ସେହି ସମୟର କରାଯାଉ ବୋଲି ଅଖିଳ ଭାରତୀୟ ହିନ୍ଦୁ ମହାସଭା କହିଛି ।

ସୂଚନା ମୁତାବକ ନୂଆବର୍ଷ ଅବସରରେ ଡିସେମ୍ବର ୩୧ ତାରିଖ ରାତିରେ ଶ୍ରୀମନ୍ଦିର ଦ୍ୱାର ଖୋଲାରହିବ । ରାତିରେ ବଡ଼ଠାକୁରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆଜି ରାତି ୧୦ଟାରେ ପହଡ଼ ପଡ଼ିବ । ରାତି ପ୍ରାୟ ସାଢ଼େ ୧ଟାରେ ପହଡ଼ ଫିଟିବ । ରାତି ସାଢ଼େ ୧ଟା ବେଳେ ଦ୍ୱାରା ଫିଟାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ । ନୂଆବର୍ଷ ପାଇଁ ଛତିଶା ନିଯୋଗ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ନିର୍ଘଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ରାତି ୩ଟାରେ ଭିତର ଶୋଧ, ୩ଟା ୩୦ରେ ମଙ୍ଗଳ ଆଳତୀ, ରାତି ୪ଟାରେ ରୋଷହୋମ, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି ଅନୁଷ୍ଠିତ ହେବ ।

ସେହିପରି ଜାନୁଆରୀ ୧ ତାରିଖ ସକାଳ ସାଢ଼େ ୬ରୁ ୭ଟା ଭିତରେ ପହିଲି ଭୋଗ ନୀତି ସମାପନ ହେବ । ଦିନ ୧୧ରୁ ୧୨ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ ମଧ୍ୟାହ୍ନ ଧୂପ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୧୧ଟାରେ ମହାପ୍ରସାଦ ବାହାରିବାର ବ୍ୟବସ୍ଥା ହୋଇଛି ।  ସେପଟେ ନୂଆବର୍ଷକୁ ଦୃଷ୍ଟିରେ ରଖି ପୁରୀରେ ଭିଡ ଦେଖିବାକୁ ମିଳିଛି । ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।