ଶିକ୍ଷକ-ସରକାରଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ! ଶିକ୍ଷକ ମିଳିତ ମଂଚର ଆବାହକଙ୍କ ସୂଚନା, ଦାବି ନେଇ ସରକାର ସମ୍ବେଦନଶୀଳ

49

କନକ ବ୍ୟୁରୋ: ରବିବାର ସତ୍ୱେ ବି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ସରକାର । ସଚିବାଳୟରେ ଦୁଇ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ସଚିବଙ୍କ ସହ ଶିକ୍ଷକ ସଂଘର ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ହୋଇଛି । ଏନେଇ ଓଡିଶା ସ୍କୁଲ-କଲେଜ ଶିକ୍ଷକ ମିଳିତ ମଂଚର ଆବାହକ ପ୍ରକାଶ ମହାନ୍ତି କହିଛନ୍ତି । ସରକାର ଶିକ୍ଷକଙ୍କ ଦାବି ବାବଦରେ ସମ୍ବେଦନଶୀଳ ଅଛନ୍ତି ।ବିଜେପୁର ଉପ-ନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇଥିବାରୁ ସରକାର ନିଷ୍ପତି ନେଇପାରୁନଥିବା ଆଲୋଚନାରେ କୁହାଯାଇଛି । ଆନ୍ଦୋଳନ ଓ ଦାବି ନେଇ ଷ୍ଟିୟରିଂ କମିଟି ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପ୍ରକାଶ ମହାନ୍ତି ।

ତେବେ ଶିକ୍ଷକ-ସରକରଙ୍କ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ଅଛନ୍ତି ଶିକ୍ଷକ ସଂଘ । ଆନ୍ଦୋଳନ ପ୍ରତ୍ୟାହାର ନେଇ ଷ୍ଟିୟରିଂ କମିଟିର ଆଲୋଚନା ପରେ ଶିକ୍ଷକମାନେ ସରକାରଙ୍କୁ ଜଣାଇବେ । ଏହାପରେ ସେମାନଙ୍କ ୭ ଦଫା ଦାବି ନେଇ ସରକାର ଆଲୋଚନା କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ବିଜେପୁର ଉପନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇଥିବାରୁ କୌଣସି ନିଷ୍ପତି ନିଆଯାଇ ପାରୁନଥିବା ସେ କହିଛନ୍ତି ।

ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଏନେଇ ମତ ରଖିଛନ୍ତି । ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଆନ୍ଦୋଳନରୁ ଓହରିବା ପାଇଁ ସଂଘକୁ ଅନୁରୋଧ କରାଯାଇଛି । ସରକାର ଆଶା ରଖିଛନ୍ତି ଶିକ୍ଷକ- ଅଧ୍ୟାପକ ଆନ୍ଦୋଳନରୁ ଓହରି ପରୀକ୍ଷାକୁ ସୁଚାରୂପେ କରିବା ପାଇଁ ସହଯୋଗ କରିବେ । ତେବେ ଆଜିର ଆଲୋଚନା ସଫଳ ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।