ବାଜପେୟୀଙ୍କ ବାସଭବନରେ ବଢାଗଲା ସୁରକ୍ଷା ବ୍ୟବସ୍ଥା । ଏସପିଜିର ଏକ ସ୍ୱତନ୍ତ୍ର ଟିମ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଲେ ଯାଞ୍ଚ

22

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୈାଣସି ପରିବର୍ତ୍ତନ ହୋଇନଥିବା ସହ ଏବେବି ସଙ୍କଟାପନ୍ନଥିବା ଏମ୍ସ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବାଜପେୟୀଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଅଟଳଙ୍କ ଘରେ ଏସପିଜି ସୁରକ୍ଷା ବଳର ଏକ ଟିମ ପହଞ୍ଚିଥିବା ଜଣାପଡିଛି । ସେପଟେ ଏମ୍ସରେ ଅନେକ ନେତା ପହଞ୍ଚି ଅଟଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଡାକ୍ତରଙ୍କୁ ପଚାରି ବୁଝୁଛନ୍ତି । ମେଡିକାଲରେ ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ପହଥିବା ଜଣାପଡିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଉ ଅଳ୍ପ କିଛି ସମୟ ମଧ୍ୟରେ ମେଡିକାଲରେ ପହଞ୍ଚିବେ ବୋଲି ସୂଚନା ମିଳିବା ସହ ପୁଣିଥରେ ସନ୍ଧ୍ୟା ସମୟରେ ଆଉଥରେ ମେଡିକାଲ ପକ୍ଷରୁ ହେଲଥ ବୁଲେଟିନ ଗଣମାଧ୍ୟମ ପାଇଁ ଜାରିକରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ସେପଟେ ଏଡିଶାର ପୂର୍ବତନ କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡା ଏମ୍ସରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସାରା ଦେଶରେ ଅଟଳଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିବା ବେଳେ ବିଜେପି ଆଜି ଦଳର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛି । ଏମ୍ସ ମେଡିକାଲରେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ ପୁଣିଥରେ ଏମ୍ସ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।