ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି : ମାଲକାନଗିରି – ଜୟପୁର ମୁଖ୍ୟରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି, ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହଶହ ଗାଡି

38

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ବେହାଲ ଦକ୍ଷିଣ ଓଡିଶା । ପ୍ରବଳ ବର୍ଷାରେ ଦକ୍ଷିଣ ଓଡିଶାରେ ଅନେକ ରାସ୍ତାଘାଟ ବୁଡି ରହିଥିବା ସୂଚନା ମିଳିଛି । ତେବେ ଗତ ୩ଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯାଇଛି। ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ମାଲକାନଗିରିର ବିଭନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଏପରିକି ବର୍ତ୍ତମାନ କୌଣସି ପଟୁ ମାଲକାନଗିରିକୁ ମଧ୍ୟ ଯିବା ସମ୍ଭବ ହେଉ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି- ବାଲିମେଳା ରାସ୍ତା, ମାଲକାନଗିରି- କାଲିମେଳା ରାସ୍ତା, କାଲିମେଳା-ମୋଟୁ ରାସ୍ତା, କାଲିମେଳା- ପଡ଼ିଆ ରାସ୍ତା, ମାଲକାନଗିରି – ଜୟପୁର ରାସ୍ତା ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ବ୍ଲକ୍ ଏବେ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ ଏହାର କର୍ମଚାରୀଙ୍କୁ ହାଇ ଆଲର୍ଟରେ ରଖିଛି। ଇତିମଧ୍ୟରେ ପ୍ରଶାସନ ପକ୍ଷରୁ ୪ଟି ସ୍ଥାୟୀ ଓ ୨୦ଟି ଅସ୍ଥାୟୀ ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରାଯାଇ ବନ୍ୟାପୀଡ଼ିତ ଲୋକମାନଙ୍କୁ ଉଦ୍ଧାର କରି ସେହି ଆଶ୍ରୟସ୍ଥଳିରେ ରଖିବାର ବ୍ୟବସ୍ଥ କରୁଛନ୍ତି। ତେବେ ପୁଣିଥରେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରି କହିଛି ଯେ, ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହି ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସତର୍କତା ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।