ଅନ୍ତିମ ଲଢ଼େଇରେ ହେଭିୱେଟଙ୍କ ଅଗ୍ନି ପରୀକ୍ଷା ! ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା, ଜାଣନ୍ତୁ କାହାକୁ କିଏ ଦେବ ଟକ୍କର ?

101

କନକ ବ୍ୟୁରୋ: ଆସନ୍ତାକାଲି ଅନ୍ତିମ ଲଢ଼େଇରେ ମୁହାଁମୁହିଁ ହେବେ ହେଭିୱେଟ୍ । ୧୯ ମହାଯୁଦ୍ଧରେ ବାଜି ମାରିବାକୁ ମୈଦାନରେ ଭାଗ୍ୟ ପରୀକ୍ଷା କରିବେ ପ୍ରମୁଖ ଦଳର ପ୍ରାର୍ଥୀ । ଆଉ ଜନତା ଜନାର୍ଦ୍ଦନ କାଲି ଏହି ହେଭିୱେଟଙ୍କ ପରୀକ୍ଷା ଖାତାରେ ମତଦାନ ସାବ୍ୟସ୍ତ କରି ମାର୍କ ଦେବେ । ତେବେ ନଜର ପକାନ୍ତୁ କାଲିର ଗୁରୁକ୍ଷେତ୍ରରେ କାହାର ହେବ ଭାଗ୍ୟ ପରୀକ୍ଷା ।

pccନିରଂଜନ ପଟ୍ଟନାୟକ- ରାଜ୍ୟ କଂଗ୍ରେସର ବରିଷ୍ଠ ନେତା । ପିସିସି ସଭାପତି । କଂଗ୍ରେସର ଏହି ୭୧ ବର୍ଷୀୟ ହେଭିୱେଟ୍ ନେତାଙ୍କ ଏଥର ଭଣ୍ଡାରୀପୋଖରୀ ଆସନରୁ ନିର୍ବାଚନ ଲଢୁଛନ୍ତି । ଘଷିପୁରା ପରେ ଭଣ୍ଡାରୀପୋଖରୀରୁ ସେ ନିର୍ବାଚନ ଲଢୁଛନ୍ତି ।

ଅନୁଭବ ମହାନ୍ତି- ରାଜ୍ୟସଭା ସାଂସଦ । ଓଲିଉଡ ସୁପରଷ୍ଟାର ଭାବେ ଘରେ ଘରେ ପରିଚିତ ଏହି ୩୮ ବର୍ଷୀୟ ନେତା ଏବେ ବିଜେଡି ଟିକଟରେ ଲଢୁଛନ୍ତି କେନ୍ଦ୍ରାପଡା ଲୋକସଭା ନିର୍ବାଚନ । ରାଜ୍ୟସଭା ସାଂସଦ ରହିବା ପରେ କେନ୍ଦ୍ରାପଡା ଲଢେଇ ପାଇଁ ତାଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ।

ବୈଜୟନ୍ତ ପଣ୍ଡା- ୨ ଥର ରାଜ୍ୟସଭା ସାଂସଦ, ୨ ଥର ଲୋକସଭା ସାଂସଦ । ବିଜେଡି ଛାଡି ଏଥର ବିଜେପି ଟିକଟରୁ କେନ୍ଦ୍ରାପଡା ଲୋକସଭା ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଠାରେ ଅନୁଭବ ମହାନ୍ତି , ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ଧରଣୀଧର ନାୟକଙ୍କ ମଧ୍ୟରେ କଡା ଟକ୍କର ହେବା ନେଇ ଆକଳନ କରାଯାଉଛି ।

ଶଶୀଭୂଷଣ ବେହେରା- ରାଜ୍ୟ ଅର୍ଥମନ୍ତ୍ରୀ । ବିଜେଡିର ଏହି ହେଭିୱେଟ୍ ନେତା ଏଥର କେନ୍ଦ୍ରାପଡା ବିଧାନସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି । ଗତଥର ଜୟଦେବ ଆସନରୁ ବିଜୟୀ ହୋଇଥିବା ଶଶୀଙ୍କୁ ଏଥର ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ବିଧାନସଭା ଟିକଟ ଦେଇଛନ୍ତି ।

ପ୍ରତାପ କେଶରୀ ଦେବ- ଆଳି ରାଜପରିବାରର ପରିଚୟ । ରାଜ୍ୟସଭା ସାଂସଦର ଅନୁଭୂତି । ନବୀନଙ୍କ ସ୍ୱଛ ଭାବମୂର୍ତି ଓ ବିକାଶ ଧାରାକୁ ପାଥେୟ କରି ଏଥର ଆଳିରେ ଭାଗ୍ୟ ପରୀକ୍ଷୀ କରୁଛନ୍ତି ପ୍ରତାପ ।

ପ୍ରତାପ ଜେନା- ମାହାଙ୍ଗା ବିଧାନସଭାର ଏକ ପରିଚିତ ନାଁ । ୪ ଥର ବିଧାୟକ ଓ ମନ୍ତ୍ରୀ । ବିଜେଡିର ଏହି ହେଭିୱେଟଙ୍କର ଏଥର ଭାଗ୍ୟ ନିର୍ଣ୍ଣୟ କରିବେ ମହାଙ୍ଗା ଭୋଟର ।

ଅତନୁ ସବ୍ୟସାଚୀ ନାୟକ- ବିଜେଡିର ଏହି ୫୧ ବର୍ଷୀୟ ହେଭିୱେଟ୍ ନେତା ଏଥର ବି ମହାକାଳପଡା ଆସନରୁ ଭାଗ୍ୟପରୀକ୍ଷା କରୁଛନ୍ତି । ଥରେ ପାଟକୁରା ଓ ୨ ଥର ମହାକାଳପଡା ଆସନରୁ ଜିତି ୩ ଥର ବିଧାୟକ ଥିବା ଅତନୁ ଏଥର ମହାକାଳପଡାରୁ ଆସନରୁ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ଅଛନ୍ତି ।

ରବୀନ୍ଦ୍ର ଜେନା- ବାଲେଶ୍ୱର ଲୋକସଭା ସାଂସଦ । ଏହି ୫୧ ବର୍ଷୀୟ ନେତା ଏଥର ବି ବାଲେଶ୍ୱର ଲୋକସଭାରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଜି ମାରିବା ଲକ୍ଷ୍ୟରେ ରହିଛି ।

ପ୍ରତାପ ଷଡଙ୍ଗୀ- ବିଜେପିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ । ରାଜ୍ୟ ବିଜେପିର ବରିଷ୍ଠ ନେତା । ୨ ଥର ନୀଳଗିରି ବିଧାୟକ ଥିବା ଏହି ଚର୍ଚିତ ବିଜେପି ନେତା ଏଥର ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ୬୪ ବର୍ଷୀୟ ନେତା ଗତ ଲୋକସବା ନିର୍ବାଚନରେ ରବୀନ୍ଦ୍ର ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଏଥର ତାଙ୍କୁ କଡା ଟକ୍କର ଦେବା ଲକ୍ଷ୍ୟରେ ଅଛନ୍ତି । ତେବେ ବାଲେଶ୍ୱର ଲୋକସଭା ଆସନରେ ଏଥର ବିଜେଡିର ରବୀନ୍ଦ୍ର ଜେନା, ବିଜେପିର ପ୍ରତାପ ଷଡଙ୍ଗୀ ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ ।

ପ୍ରଣବ ପ୍ରକାଶ ଦାସ- ବିଜେଡିର ଯାଜପୁର ବିଧାନସଭା ପ୍ରାର୍ଥୀ । ୨ ଥର ବିଧାୟକ ରହି ସାରିଥିବା ବିଜେଡିର ଏହି ହେଭିୱେଟ୍ ନେତା ଏଥର ବି ଯାଜପୁରରେ ବାଜି ମାରିବା ଲକ୍ଷ୍ୟରେ ଅଛନ୍ତି । ନିଜର ସାଂଗଠନିକ କ୍ଷମତା ଓ ନବୀନଙ୍କ ସ୍ୱଛ ଭାବମୂର୍ତି ବଳରେ ସେ ଏଥର ନିର୍ବାଚନ ଅସ୍ତ୍ର କରିଛନ୍ତି ।

ଅମର ପ୍ରସାଦ ଶତପଥୀ- ବିଜେଡିର ବଡଚଣା ଆସନ ପ୍ରାର୍ଥୀ । ୫ ଥର ବିଧାୟକ ରହି ସାରିଥିବା ଅମର ପ୍ରସାଦ ବଡଚଣା ଆସନରୁ ଜନତା ଦଳ ଟିକଟରୁ ୨ ଥର, ଏନସିପିରୁ ଥରେ , ବିଜେଡି ଟିକେଟରେ ୨ ଥର ନିର୍ବାଚନ ଜିତି ସାରିଛନ୍ତି । ତେବେ ବିଜେଡିର ଏହି ୬୪ ବର୍ଷୀୟ ନେତାଙ୍କ ଭାଗ୍ୟ ଆସନ୍ତାକାଲି ନିର୍ଣ୍ଣୟ କରିବେ ଭୋଟର ।

ରଘୁନାଥ ମହାନ୍ତି – ବିଜେପିର ବସ୍ତା ବିଧାନସଭା ପ୍ରାର୍ଥୀ । ୫ ଥର ବିଧାୟକ । ୭୦ ବର୍ଷୀୟ ଏହି ଅନୁଭବି ରାଜନେତା ଏଥର ବିଜେଡି ଛାଡି ବିଜେପି ଟିକଟରୁ ନିର୍ବାଚନ ଲଢୁଛନ୍ତି । ଦୁଇ ଥର ଜନତା ଦଳ ଟିକଟରୁ , ତିନି ଥର ବିଜେଡି ଟିକଟରୁ ବସ୍ତା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସେ । ତେବେ ଏଥର ବିଜେପି ଟିକଟରୁ ଲଢୁଥିବା ରଘୁନାଥଙ୍କ ଭାଗ୍ୟ ଆସନ୍ତାକାଲି ନିର୍ଣ୍ଣୟ କରିବେ ଭୋଟର ।