ବିଲରେ ପାଚିଲା ଧାନ ! ୨୪ ଘଂଟା ମଧ୍ୟରେ ମାଡିଆସୁଛି ବର୍ଷା, ଗୋପାଳପୁର ଠାରୁ ୫୮୦ କିଲୋମିଟର ଦୂରରେ ଲଘୁଚାପ ଘନୀଭୂତ

49

କନକ ବ୍ୟୁରୋ : ବର୍ଷାରେ ଭିଜିବ ସାରା ଓଡିଶା । ଉତ୍ତରରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ, ୩ ଦିନ ଧରି ପ୍ରବଳ ବର୍ଷିବ । ଦକ୍ଷିଣ ଓଡିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇସାରିଛି । କାଲିଠୁ ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ । ଏଥିସହ ୪୫ରୁ ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । କ୍ଷେତରେ ପାଚିଲା ଧାନ ଥିବା ବେଳେ ପ୍ରବଳ ବର୍ଷା ସମ୍ଭାବନା, ଚାଷୀର ଚିନ୍ତା ବଢାଇଦେଇଛି ।

ମାଡି ଆସୁଛି ପ୍ରବଳ ବର୍ଷା । ୩ଦିନ ଧରି ଜାରି ରହିବ ଲଗାଣ ବର୍ଷା । ୱେଲମାର୍କ ଲୋ ପ୍ରେସର ଆଜି ପଶ୍ଚିମ-କେନ୍ଦ୍ର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇଛି । ବର୍ତ୍ତମାନ ଏହା ଗୋପାଳପୁରରୁ ୫୮୦ କିଲୋମିଟର ଦୂରରେ ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଗଜପତି, ରାୟଗଡା, କନ୍ଧମାଳ ଓ ନୟାଗଡରେ ବର୍ଷାର ପ୍ରଭାବ ଅଧିକ ରହିବ ।

୨୪ ଘଂଟା ମଧ୍ୟରେ ଉପକୂଳ ଓ ଉତର ଓଡିଶାରେ ବି ପ୍ରବଳ ବର୍ଷା ହେବ । ୧୬ ତାରିଖ ବେଳକୁ ଲଗାଣ ବର୍ଷାରେ ଭିଜୁଥିବ ସାରା ଓଡିଶା । ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ଗଂଜାମ ଉପକୂଳରେ ସ୍ଥଳଭାଗ ଛୁଇଁବ ଲଘୁଚାପ । ଏହାମଧ୍ୟରେ ୪୫ ରୁ ୬୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ୩ ଦିନର ଲଗାଣ ବର୍ଷା ପରେ ୧୯ ତାରିଖ ବେଳକୁ ରାଜ୍ୟରେ ଥଣ୍ଡା ଅନୁଭୁତ ହେବ । ଏହାପରେ ଧିରେ ଧିରେ ବଢିବ ଶୀତ ।