ଫେରିଲା ମୌସୁମୀ ! ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ, ୨୯ ଯାଏଁ ନିସ୍ତାର ନାହିଁ

39

କନକ ବ୍ୟୁରୋ : ମୌସୁମୀ ବର୍ଷାରେ ଭିଜିଲା ସାରା ଓଡିଶା । ଉପକୂଳ ଓ ଉତର ଓଡିଶାରେ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି । ଏବେବି ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ବିଶେଷ କରି ୧୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ମୌସୁମୀ ଛୁଇଁଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘରେ ପାଣି ପଶିଯାଇଛି । ରାସ୍ତା ଉପରେ ଆଣଣ୍ଠୁଏ ଉଚ୍ଚର ପାଣି ବୋହୁଛି । ସେପଟେ ବିଶ୍ୱପ୍ରସିଦ୍ଧ କୋଣାର୍କରେ ବର୍ଷା ପାଣି ଜମି ରହିଛି । ଫଳରେ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୨୪ ଘଂଟା ଯାଏଁ ଏଭଳି ବର୍ଷା ଲାଗି ରହିବ । ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ପ୍ରବଳ ବର୍ଷିବ ।

ଉପକୂଳରୁ ଉତର, ତୁହାକୁ ତୁହା ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟରେ ବର୍ଷା କରାଇଛି । ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷିଛି । ପୁରୀ, କଟକ, କନ୍ଧମାଳ, ବାଲେଶ୍ୱର, ଖୋର୍ଦ୍ଧା, ତାଳଚେର, ବୌଦ୍ଧ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ ଓ ଗଂଜାମରେ ଦିନ ତମାମ ବର୍ଷା ଲାଗି ରହିଛି । ଆହୁରି ୨୪ ଘଂଟା ଯାଏଁ ଏଭଳି ବର୍ଷିବ । ମୌସୁମୀ ସକ୍ରିୟ ହୋଇଥିବାରୁ ମୂଷଳ ଧାରାରେ ବର୍ଷା ଲାଗି ରହିବ । ତେବେ ୨୯ରୁ କମିବ ବର୍ଷା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଜୁଲାଇ ୫ ଯାଏଁ ମୌସୁମୀ ପୁଣି ଦୁର୍ବଳ ହୋଇଯିବ । ଫଳରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ବୃଦ୍ଧି ପାଇବ । ତେବେ ରାତିର ତାପମାତ୍ରା କମ୍ ରହିବ । ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାଂଲାଦେଶର ଦକ୍ଷିଣାଂଚଳରେ ରହିଛି । ତେବେ ତାହାର କୌଣସି ପ୍ରଭାବ ମୌସୁମୀ ଉପରେ ପଡିବ ନାହିଁ ।

ମୌସୁମୀ ବର୍ଷାରେ ବେହାଲ କଟକ । ୨୪ ଘଂଟା ଧରି ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରାସ୍ତାଉପରେ ଆଂଠୁଏ ପାଣି । ଘର ଭିତରେ ଲହଡି ଭାଂଗୁଛି ନାଳପାଣି । ଆଉ ସେହିପାଣିରେ ବୁଡି ରହିଛି ଆସବାବପତ୍ର । ଅନ୍ୟପଟେ ପାଣି ଘେରରେ ରହିଛି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର । ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ପରିସରରେ ପାଣି ଜମି ରହିଛି । ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଆଣ୍ଠୁଏ ପାଣିରେ ବୁଲୁଛନ୍ତି ପର୍ଯ୍ୟଟକ । ଦୁଇ ବର୍ଷ ତଳେ ୬କୋଟି ଟଙ୍କାରେ ହୋଇଥିଲା ଡ୍ରେନେଜ୍ ବ୍ୟବସ୍ଥା । ହେଲେ ଏବେ ସବୁ ଯେମିତି ଠପ୍ ହୋଇଯାଇଛି । ଏହାରି ଭିତରେ ଚଳିତବର୍ଷ ଜୁନରେ ୩୫ ପ୍ରତିଶତ କମ୍ ବର୍ଷା ହୋଇଛି । ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ ବହୁତ କମ୍ । ଯାହା ଚାଷୀଙ୍କ ଚିନ୍ତା ବଢାଇଦେଇଛି । ତେବେ ଦୁଇ ଦିନର ଲଗାଣ ବର୍ଷା ବର୍ତମାନ ଫସଲ ପାଇଁ ଅନୁକୂଳ ହୋଇଛି ।