ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା! କଟକ ଓ ଭୁବନେଶ୍ୱରରେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ବହିଲା ପବନ

584

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ସହ ଅଦିନିଆ ଧୂଳିଝଡ ଦେଖିବାକୁ ମିଳିଛି । ଏପରିକି ଭୋର ସମୟରୁ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ବେଗରେ ପବନ ବହୁଛି । ତା’ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଟ୍ୱିନସିଟିକୁ ପୂରା ଅନ୍ଧାର କରି ରଖିଛି । ରାସ୍ତା ଠିକ୍ ଭାବରେ ଦେଖାଯାଉନଥିବାରୁ ଦୁର୍ଘଟଣା ସମ୍ଭାବନାକୁ ଦେଖି ଗାଡି ସର୍ତକତାର ଚଳାଇବାକୁ ପରାମର୍ଶ ଦିଆଯାଇଛି । ତେବେ ହଠାତ୍ ଏଭଳି ପାଗ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

କେବଳ ଟ୍ୱିନସିଟିରେ ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ଯେପରିକି ସମ୍ବଲପୁର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହାବାଦ୍ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହେବା ସହ ଧୂଳିଛଡ ଓ ପ୍ରବଳ ବେଗରେ ପବନ ବହିଛି । ଯାଜପୁର, କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଅଦିନିଆ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ ରହିଛି । ପୁଣିଥରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି ।