ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି : ଭୁବନେଶ୍ୱରରେ ୪୧ ଡିଗ୍ରି ଟିପିଲା ତାପମାତ୍ରା

33

କନକ ବ୍ୟୁରୋ : ଆଷାଢରେ ବୈଶାଖର ତାତି । ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଖରାଦିନିଆ ଗରମରୁ ବଳିଯାଇଛି ତାତି । ଓଡିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିଲେ ବି ବର୍ଷାର ଦେଖାନାହିଁ । ବରଂ ବଢିଛି ଖରା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆହୁରି ୪୮ ଘଂଟା ଏଭଳି ପାଗ ଲାଗିରହିବ । କେତେକ ସ୍ଥାନରେ ହିଟ୍ ୱେଭ ଜାରି କରାଯାଇଛି ।

‘ରଜ’ ଯାଇ ଶୀତଳଷଷ୍ଠୀ ଆସିଲା, ହେଲେ ବର୍ଷା ଯେମିତି ବାଟ ହୁଡି ଯାଇଛି । ଆଷାଢ଼ ମାସରେ ଅନୁଭୂତ ହେଇଛି ବୈଶାଖର ତାତି । ଆଉ ପାଣିପାଗ ବିଭାଗ ଯାହା ଆକଳନ କରିଛି ହୁଏତ ଏମିତି ଆହୁରି ପ୍ରାୟ ଗୋଟିଏ ସପ୍ତାହ ଯାଏଁ ଲାଗି କରିବ ସମାନ ସ୍ଥିତି । ଏଭଳି ସ୍ଥିତିରେ ଆସନ୍ତା ୪୮ ଘଂଟା ଯାଏ ହିଟୱେଭ ପାଇଁ ସତର୍କତା ଜାରି କରାଯାଇଛି ।

ମୌସୁମୀ ଯେତିକି ଦୁର୍ବଳ ହେଉଛି, ସେତିକି ସବଳ ହେଉଛି ଖରାର ପ୍ରକୋପ । ଏହାରି ଭିତରେ ଭରସା କେବଳ ଲଘୁଚାପର ଭଳି କୌଣସି ଶୁଭ ସୂଚନାକୁ । ଯଦି ବଙ୍ଗୋପସାଗରରେ ସେଭଳି କିଛି ଫର୍ମେସନ୍ ସୃଷ୍ଟି ହୁଏ ତାହେଲେ ବଦଳିବ ମୌସୁମୀର ମିଜାଜ୍ । ବଡ କଥା ହେଉଛି ରବିବାର ଭୁବନେଶ୍ୱରରେ ତାପମାତ୍ରା ଟପି ଯାଇଛି ୪୧ ଡିଗ୍ରୀ । ଖରାର ବୋଝ ଉପରେ ନଳିତା ବିଡ଼ା ସାଜିଛି କାଳବୈଶାଖୀର ଆଶଙ୍କା । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ-ନୟାଗଡ଼, ଗଞ୍ଜାମ, ଗଜପତି,ଖୋର୍ଦ୍ଧା, ମୟୁରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ହେବାର ସଂଭାବନା ରହିଛି ।