ଆଉ କାମ ଦେବନି ଆତଙ୍କବାଦୀ ଓ ମାଓବାଦୀଙ୍କ ଚାଲ ! ଲ୍ୟାଣ୍ଡମାଇନ୍ସକୁ ଖୋଜି ନିଷ୍କ୍ରିୟ କରିବା ପାଇଁ ୧୫ ବର୍ଷର ବାଳକ ତିଆରି କଲେ ସ୍ୱତନ୍ତ୍ର ଡ୍ରୋନ, ଭାରତୀୟ ସେନା ପାଇଁ ବ୍ରହ୍ମାସ୍ତ୍ର ଭଳି କାମ କରିବ

176

ଭାରତୀୟ ସେନା ପାଇଁ ଡ୍ରୋନ ଏବେ ବହ୍ମାସ୍ତ୍ର ଭଳି କାମ କରୁଛି । ପ୍ରତ୍ୟେକ ବଡ ବଡ ଅପରେସନରେ ଡ୍ରୋନର ସହାୟତା ନେଉଛି ସେନା । କିନ୍ତୁ ଏହାକୁ ବିଭିନ୍ନ ବାହାର ଦେଶରୁ କିଣୁ୍ଥିବାରୁ ଏହାର ମୂଲ୍ୟ ଯଥେଷ୍ଟ ଅଧିକ ରହିଛି । କିନ୍ତୁ ଏହାର ସରଳ ଉପାୟ ବାହାର କରିଛନ୍ତି ୧୫ ବର୍ଷିୟ କୁନି ଉଦ୍ଭାବକ ହର୍ଷବର୍ଦ୍ଧନ ଝାଲା । ଡ୍ରୋନ ନିର୍ମାଣ କରି ଏବେ ଚର୍ଚ୍ଚାରେ ହର୍ଷବର୍ଦ୍ଧନ । ଖାଲି ଏତିକି ନୁହେଁ ସେ ଯେଉଁ ଡ୍ରୋନ ନିର୍ମାଣ କରିଛନ୍ତି ତାହା ଭାରତୀୟ ସେନା ପାଇଁ ଏକ ବଡ ବ୍ରହ୍ମାସ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହି ଡ୍ରୋନଟି ଲ୍ୟାଣ୍ଡମାଇନ୍ସକୁ ଖୋଜିବା ସହ ଏହାକୁ ନିଷ୍କ୍ରିୟ ମଧ୍ୟ କରିପାରିବ ।

ହର୍ଷବର୍ଦ୍ଧନଙ୍କ ଛୋଟବେଳୁ ହିଁ ଇଲେଟ୍ରୋନିକ୍ସ ଓ ଟେକ୍ନେଲୋଜି ଉପରେ ଅଧିକ ରୁଚି ଥିଲା । ଯାହା ତାଙ୍କୁ ପରେ ଡ୍ରୋନ ନିର୍ମାଣ କ୍ଷେତ୍ରରେ ସାହାର୍ଯ୍ୟ କରିଥିଲା । ଟିଭିରେ ଏକ ଡକ୍ୟୁମେଣ୍ଟାରୀରେ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରୁଥିବା ବେଳେ ସୈନ୍ୟ ମାନେ କିପରି ଆହତ ହେଉଥିଲେ ତାହା ଦେଖିବା ପରେ ଡ୍ରୋନ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ । ଏପରି ଏକ ଡ୍ରୋନ ସେ ନିର୍ମାଣ କରିବାକୁ ଚାହୁଁଥିଲେ ଯେଉଁଥିରେ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଯାଇପାରିବ । ଏହାପରେ ଡ୍ରୋନ ନିର୍ମାଣ ପାଇଁ ଆରମ୍ଭ କରିଥିଲେ ମିଶନ । ଆଉ ଏବେ ୫ ଲକ୍ଷ ଟଙ୍କାରେ ତିନୋଟି ପ୍ରୋଟୋଟାଇପ ଡ୍ରୋନ ତିଆରି କରିଛନ୍ତି ହର୍ଷବର୍ଦ୍ଧନ । ପ୍ରଥମ ଦୁଇଟି ଡ୍ରୋନ ନିର୍ମାଣ କରିବା ପାଇଁ ଘର ଲୋକ ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ତୃତୀୟ ଡ୍ରୋନ ତିଆରି କରିବା ବେଳେ ସରକାର ସାହାର୍ଯ୍ୟର ହାତ ବଢାଇଥିଲେ ।

ଏହି ଅତ୍ୟାଧୁନିକ ଡ୍ରୋନରେ ଇନଫ୍ରାରେଡ, ଆରଜିବି ସେନସର ଓ ଥର୍ମାଲ ମିଟର ଲାଗିବା ସହ ୨୧ ମେଗା ପିକ୍ସଲର କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି । ଏହାଛଡା ଏଥିରେ ମେକାନିକାଲ ଶଟର ମଧ୍ୟ ଲାଗିଛି । ସବୁଠୁ ବଡ କଥା ହେଉଛି ହର୍ଷବର୍ଦ୍ଧନଙ୍କ ଡ୍ରୋନଟି ଲ୍ୟାଣ୍ଡମାଇନ୍ସର ସୂଚନା ଦେବା ସହ ଆଠ ବର୍ଗ ମିଟର ପରିମିତ ଅଞ୍ଚଳକୁ ଯାଞ୍ଚ କରିଥାଏ । ଏହାଛଡା ଲ୍ୟାଣ୍ଡମାଇନ୍ସ ଚିହ୍ନଟ କରିବା ସହ ଏହାକୁ ନିଷ୍କ୍ରିୟ ମଧ୍ୟ କରିଥାଏ । ଡ୍ରୋନଟି ଦୁଇ ଫୁଟ୍ ଉପରେ ଉଡ଼ିବା ସହ ବେସ୍ ଷ୍ଟେସନକୁ ସଙ୍ଗେ ସଙ୍ଗେ ସିଗନାଲ୍ ପଠାଇଥାଏ ଓ ସାଙ୍ଗରେ କିଛି ଓଜନର ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟ ମଧ୍ୟ ନେଇପାରେ।

ଏହାଭିତରେ ହର୍ଷବର୍ଦ୍ଧନ ଗୁଜରାଟ ସରକାରଙ୍କ ସହ ୫ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ହର୍ଷବର୍ଦ୍ଧନ ଚାହାଁନ୍ତି ତାଙ୍କର ଏହି ଡ୍ରୋନ୍କୁ ପେଣ୍ଟେଟ ଦିଆଯିବା ସହ ବି ଭିନ୍ନ ହେଡ୍ କ୍ୱାର୍ଟର୍ସକୁ ପଠାଯାଉ। ମାଓ ଅଧୁଷିତ ଅଞ୍ଚଳରେ ଏହି ଡ୍ରୋନ ସାହାଯ୍ୟରେ ମଧ୍ୟ ଲ୍ୟାଣ୍ଡମାଇନ ଠାବ କରାଯାଇପାରିବ ଏବଂ ଯବାନଙ୍କ ଜୀବନ ରକ୍ଷା କରାଯାଇପାରିବ ।