ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହେବା ଭିତରେ ଆସିଲା ଆଶ୍ୱସ୍ତିକର ଖବର ! ଶସ୍ତା ହେଲା ଏଲପିଜି, ଜାଣନ୍ତୁ କମିଲା କେତେ ?

34

ବଜାରରେ ପେଟ୍ରୋଲ ଏବଂ ଡିଜେଲର ଦର ଏବେ ଆକାଶ ଛୁଇଁଛି । ଯେଉଁଠି ପେଟ୍ରୋଲର ଦର ୮୦ ଟଙ୍କାରେ ପହଂଚିଲାଣି ତ ଡିଜେଲ ଦର ମଧ୍ୟ ୬୦ ଛୁଇଁଛି । ତେବେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅହେତୂକ ଅଭିବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଉ ଖବରଟି ହେଲା ଏଲପିଜି ଦରରେ ହୋଇଥିବା ରିହାତି । ଅର୍ଥାତ୍ ଜନତାଙ୍କ ପାଇଁ ଏବେ ଶସ୍ତା ହୋଇଛି ଇନ୍ଧନ ଗ୍ୟାସ । ଇଣ୍ଡିଆନ ଅଏଲ କଂପାନୀର ସୂଚନା ଅନୁସାରେ, ଅଣ ସବସିଡି ଏଲପିଜି ଗ୍ୟାସର ଦାମ ଏବେ ୩୫ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି । ସେହିପରି ସବସିଡି ବିଶିଷ୍ଟ ସିଲିଣ୍ଡରଗୁଡିକର ଦାମରେ ମଧ୍ୟ ୧ଟଙ୍କା ୭୪ ପଇସା ରିହାତି ମିଳିଛି ।

ଆଇଓସିଏଲ ସୂଚନା ଅନୁସାରେ, ଦିଲ୍ଲୀରେ ୧୪.୨ କେଜିର ଅଣ ସବସିଡି ବିଶିଷ୍ଟ ସିଲିଣ୍ଡର କିଣିବା ପାଇଁ ଉପଭୋକ୍ତାଙ୍କୁ ଏଣିକି ୬୫୩.୫୦ ଟଙ୍କା ପେମେଂଟ କରିବାକୁ ପଡିବ । କାରଣ ଗତମାସ ଏଥିପାଇଁ ୬୮୯ଟଙ୍କା ପେମେଂଟ କରିବାକୁ ପଡୁଥିଲା । ଏଭଳି ଭାବରେ ଉପଭୋକ୍ତାଙ୍କୁ ୩୫ ଟଙ୍କା ୫୦ ପଇସା ରିହାତି ବାବଦକୁ ମିଳିଛି । ସେହିପରି, ସବସିଡି ବିଶିଷ୍ଟ ୧୪.୨ କେଜିର ସିଲିଣ୍ଡର ଉପରେ ଉପଭୋକ୍ତାଙ୍କୁ ଗତମାସ ଅନୁସାରେ, ୧ଟଙ୍କା ୭୪ ପଇସାର ରିହାତି ମିଳିଛି । କାରଣ, ମାର୍ଚ୍ଚ ମାସରେ ଯେଉଁଠି ଜନତାଙ୍କୁ ୪୯୩ ଟଙ୍କା ୯ ପଇସା ପେମେଂଟ କରିବାକୁୁ ପଡୁଥିଲା ଏବେ ଏଥିପାଇଁ ୪୯୧ଟଙ୍କା ୩୫ ପଇସା ଦେବାକୁ ପଡିବ । ତେବେ ବର୍ତ୍ତମାନ ଏହା ଦିଲ୍ଲୀରେ କାର୍ଯ୍ୟକାରୀ ହେଉଛି ।

ଅନ୍ୟାନ୍ୟ ମେଟ୍ରୋ ସହର ତଥା କୋଲକତାରେ ସବସିଡି ବିଶିଷ୍ଟ ସିଲିଣ୍ଡର ୪୯୪ ଟଙ୍କା ୩୩ ପଇସାରେ ଉପଲବ୍ଧ । ମୁମ୍ବାଇରେ ୧୪.୨ ସିଲିଣ୍ଡର ପିଛା ୪୮୯ ଟଙ୍କା ୪ ପଇସା ଏବଂ ଚେନ୍ନାଇରେ ୪୭୯ଟଙ୍କା ୪୪ ପଇସାରେ ସିଲିଣ୍ଡର ଉପଲବ୍ଧ । ସେହିପରି ଅଣ ସବସିଡି ବାଲା ଏଲପିଜି ସିଲିଣ୍ଡର ପାଇଁ ମୁମ୍ବାଇରେ ଉପଭୋକ୍ତାଙ୍କୁ ୬୨୫ ଟଙ୍କା, କୋଲକତାରେ ୬୭୬ ଟଙ୍କା, ଚେନ୍ନାଇରେ ୬୬୩ ଟଙ୍କା ପରିଶୋଧ କରିବାକୁ ପଡିବ ।