ନିର୍ଦ୍ଦୋଷ ପ୍ରତି ନିର୍ଦ୍ଦୟୀ ପାକିସ୍ତାନ ! ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦା ଏଜେଂଟ ଦର୍ଶାଇ ଫାଶୀ ଦେବାକୁ ରାୟ

15

କନକ ବ୍ୟୁରୋ : ଭାରତୀୟ ଗୁପ୍ତଚର ସନ୍ଦେହରେ ଭାରତର ପୂର୍ବତନ ସେନା କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି ପାକିସ୍ତାନ । ୨୦୧୬ରେ ବାଲୁଚିସ୍ଥାନ ଅଂଚଳରୁ କୁଳଭୂୂଷଣଙ୍କୁ ଗିରଫ କରିଥିଲା ପାକିସ୍ତାନ । କୁଳଭୂଷଣ ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ସକ୍ରିୟ ସଦସ୍ୟ ଏବଂ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ସେ ଷଡଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ ଆଣିଥିଲା କ୍ୱେଟାର ଆତଙ୍କବାଦୀ ନିରୋଧୀ ବିଭାଗ । ଭାରତ ବାରମ୍ବାର ଏକଥାକୁ ଖଣ୍ଡନ କରିବା ସତ୍ୱେ ଶୁଣିଲା ନାହିଁ ପାକିସ୍ତାନ । ସେପଟେ ଆଜି ପାକିସ୍ତାନ କୋର୍ଟଙ୍କ ରାୟ ଆସିବା ପରେ ଏହାକୁ ଦୃଢ ନିନ୍ଦା କରିଛି ଭାରତ ।

କୁଳଭୂଷଣଙ୍କ ମାମଲା ପାକ୍ କୋର୍ଟରେ ବିଚାର ହେଉଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରିଥିବା ଦାବି କରିଛି ପାକ୍ । ଏନେଇ ଏକ ଭିଡିଓ ମଧ୍ୟ ଜାରି କରିଛି । ଏଥିରେ କୁଲଭୂଷଣ ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ପାଇଁ କାମ କରୁଥିବା ସହ ବାଲୁଚିସ୍ତାନରେ ମୁତୟନ ଥିବା ସ୍ୱୀକାର କରିଥିବା ପ୍ରଦର୍ଶିତ ହୋଇଛି । ସେ ୨୦୨୨ରେ ଅବସର ନେଇଥାନ୍ତେ ବୋଲି ଦାବି କରିଛି ପାକିସ୍ତାନ । ପାକିସ୍ତାନର ସମସ୍ତ ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଆସିଛି ଭାରତ ।

କୁଳଭୂଷଣ ଦେଉଥିବା ବୟାନ ଚାପରେ ଦିଆଯାଇଛି ବୋଲି କୁହାଯାଇଛି । ସେ ଇରାନରେ ଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ ପ୍ରକାଶ କରିଛି ଭାରତ । ବିଶ୍ୱ ଦରବାରରେ ଭାରତକୁ ବଦନାମ କରିବାକୁ ପାକିସ୍ତାନର ଏହା ଏକ ଷଡଯନ୍ତ୍ର ନୁହେଁ ତ? କୁଲଭୂଷଣଙ୍କ ବୟାନ ବନ୍ଧୁକ ମୁନର ବୟାନ ନୁହେଁ ତ? ଏବେ ଏସବୁ ପ୍ରଶ୍ନ ଉଠିବା ନିହାତି ସ୍ୱାଭାବିକ କଥା ।