ବ୍ୟର୍ଥ ଯାଇନି ବୀର ଯବାନଙ୍କ ବଳିଦାନ, ନିର୍ମାଣ ହେଲା ଗୁରୁପ୍ରିୟା ସେତୁ ! ଜାଣନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପଛର ପ୍ରକୃତ ବିନ୍ଧାଣୀ କିଏ ?

76

କନକ ବ୍ୟୁରୋ : ଆଲୋକିତ ହୋଇଛି ପୁରା ଗୁରୁପ୍ରିୟା ସେତୁ । ତଳେ ଉପରେ ସବୁଠି ଏଲଇଡି ଲାଇଟ । ପୋଲ ଉପରେ ଦୁଇପାଶ୍ୱର୍ରେ ୬୦ଟି ଏଲଇଡି ଲାଗିଥିବା ବେଳେ ସେତୁର ଉଭୟ ପାଶ୍ୱର୍ରେ ରହିଛି ହାଇମାଷ୍ଟ ଲାଇଟ । ପୋଲତଳେ ୩୮ଟି ଫ୍ଲଡ ଲାଇଟ ଲଗାଯାଇ ସେତୁକୁ ସୁରକ୍ଷିତ ରକିବାକୁ ନିଆଯାଇଛି ପଦକ୍ଷେପ । ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ହୋଇଥିବା ବେଳେ କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ତେଣୁ ପୋଲ ଉପରେ ଓ ତଳେ ସବୁଠି ସନ୍ଧିଗ୍ଧ ହଲଚଲ ଉପରେ ନଜର ରଖିଛି ସିସିଟିଭି କ୍ୟାମେରା । ସେତୁ ଉପରେ ସବୁଠି ସିସିଟିଭି କ୍ୟାମେରା ଲଗାଯିବା ସହ ଏହାର େଓବ୍ କାଷ୍ଟିଙ୍ଗ କରାଯିବ ବୋଲି ଜଣା ପଡିଛି । ଏଥିପାଇଁ ୬ଟି ହାଇ ରିଜୋଲ୍ୟୁସନ ନାଇଟ ଭିଜନ କ୍ୟାମେରା ବ୍ୟବହାର କରାଯାଇ ବିଏସଏଫ କ୍ୟାମ୍ପରୁ ମନିଟରିଙ୍ଗ କରାଯାଉଛି । ଗୁରୁପ୍ରିୟା ସେତୁ ଉପରେ ଓ ଆଖ ପାଖରେ ହେଉଥିବା ସନ୍ଦିଗ୍ଧ ଗତିବିଧି ଉପରେ ମାଲକାନଗିରିରେ ବସି ମନିଟରିଙ୍ଗ କରିବେ ପୋଲିସ ଓ ବିଏସଏଫର ବରିଷ୍ଠ ଅଧିକାରୀ ।

ସେପଟେ ପୋଲ ନିର୍ମାଣ ଆରମ୍ଭ ଠାରୁ ଶେଷ ଯାଏଁ ଗୁରୁପ୍ରିୟାକୁ ସୁରକ୍ଷା ଯୋଗାଉଥିବା ବିଏସଏଫ ଯବାନଙ୍କ ଚଳପ୍ରଚଳ ଏବେ ଆହୁରି ବଢିଥିବା ଦେଖିବାକୁ ମିଳୁଛି । ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରା ଗୁରୁପ୍ରିୟା ସେତୁ । କାରଣ ଲାଲଗଡରେ ନିର୍ମାଣ ହୋଇ ଥିବା ଏହି ପୋଲ ମାଓବାଦୀଙ୍କ ଟାର୍ଗେଟରେ ରହିଆସିଥିବା ବେଳେ ଏହାକୁ ଭଣ୍ଡୁର କରିବା ଲାଗି ଲାଲବାହୀନି ବାରମ୍ବାର ଉଦ୍ୟମ କରି ଆସିଛନ୍ତି । ପ୍ରଥମେ କମାଣ୍ଡୋଙ୍କ ସମେତ ୪ ଅଧିକାରୀ ପ୍ରାଣ ହରାଇବା ପରେ ପାଲଙ୍ଗରାୟ ମାଓ ଆକ୍ରମଣ ଘଟଣାରେ ତିନି ବିଏସଏଫ ଯବାନ ଶହୀଦ ହୋଇଥିଲେ । ତଥାପି ନିଜ ସାଥୀଙ୍କ ବଳିଦାନ ସତ୍ୱେ ନିରନ୍ତର ଗୁରୁପ୍ରୀୟା ସେତୁ ନିର୍ମାଣ ସ୍ଥଳକୁ ଗତ ୫ ବର୍ଷ ଧରି ସୁରକ୍ଷା ଯୋଗାଇ ଆସୁଛନ୍ତି ସୀମାର ଏହି ଯୋଦ୍ଧାମାନେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୋଲ ଉପରେ ଯବାନଙ୍କ ପାଟ୍ରୋଲିଙ୍ଗ ବଢାଇ ଦିଆଯାଇଛି । ସେହିପରି ପୋଲ ଆଖପାଖ ଅଂଚଳରେ ମଧ୍ୟ କୁମ୍ବିଂ ଅପରେସନକୁ ଯୋରଦାର କରାଯିବା ସହ ଜଳ ପଥରେ ମଧ୍ୟ ଜାରି ରହିଛି ଯବାନ ମାନଙ୍କ ଦିବା ରାତ୍ର ଅପରେସନ । କେବଳ ଗୁରୁପ୍ରିୟା ନୁହେଁ ବରଂ ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଂଛଳରେ ନିଜ ଦବଦବା ଜାହିର କରିଛନ୍ତି ସୀମା ସୁରକ୍ଷା ବାହୀନିର ଯବାନ ମାନେ । ଗୁରୁପ୍ରିୟା ସେତୁ କାମ ସରିବା ମାତ୍ରେ ପୋଲ ଡେଇଁ ଏବେ ଯନ୍ତାପାଇ ଯାଏଁ ନିଜ ଯନ୍ତା ମେଲାଇଛି ବିଏସଏଫ ଯବାନ ।

ସୁରକ୍ଷାବଳଙ୍କ ବନ୍ଧୁକ ମୁନରେ ନିର୍ମାଣ ହୋଇ ସାରିଥିବା ସ୍ୱପ୍ନ ଓ ସମ୍ପର୍କର ଗୁରୁପ୍ରିୟା ସେତୁ ଉଦଘାଟନ ଲାଗି ପ୍ରସ୍ତୁତ ହୋଉଛି । ଦିନରେ ଯେତିକି ମନୋରମ ରାତିରେ ସେତିକି ରଙ୍ଗିନ । ୨୦୧୭ ସେପ୍ଟେମ୍ବର ମାସରେ କାମ ଶେଷ ହବା ନେଇ ଡେଡଲାଇନ ଥିବା ବେଳେ ବାରମ୍ବାର ଘୁଂଚି ଘୁଂଚି ଚାଲିଥିଲା ଡେଡଲାଇନ । ତେବେ ବିଳମ୍ବରେ ହେଲେ ମଧ୍ୟ ଶେଷ ହୋଇଛି ବିଚ୍ଛିନ୍ନାଂଚଳ ବାସୀଙ୍କ ପ୍ରତୀକ୍ଷା । ଶେଷ ହେବ ଜଳ ବନ୍ଦି ଜୀବନ । ଗାଁ କୁ ପହଁଚିବ ବିକାଶର ଗାଡି । ବର୍ଷ ବର୍ଷ ଧରି ପରାଧୀନ ଜୀବନ ବିତାଉ ଥିବା ବିଚ୍ଛିନ୍ନାଂଚଳ ବାସୀ ଏବେ ବିକାଶର ସ୍ୱାଦ ଚାଖିବେ । ମୁଖ୍ୟ ଧାରା ସହ ଯୋଡି ହେବେ ୩୫ ହଜାର ଲୋକେ । ଏ ନେଇ ଆଶା ସଂଚାର ହୋଇଛି ସମଗ୍ର ବିଚ୍ଛିନାନଂଚଳରେ । କାରଣ ବର୍ଷ ଧରି ସରକାରୀ ଯୋଜନା କଣ ଜାଣି ନ ଥିଲେ ଏମାନେ । ଶିକ୍ଷା, ସ୍ୱାସ୍ଥ ଏମାନଙ୍କ ପାଇଁ ଅପହଞ୍ଚ ରହି ଥିଲା । ତେବେ ଏହି ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଂଚଳବାସୀଙ୍କ ମଧ୍ୟ ରେ ନୁତନ ଆଶା ସଂଚାର ହୋଇଛି ।

ବିଚ୍ଛିନ୍ନାଂଚଳର ୧୫୧ ଟି ଗାଁର ସରକାରୀ କଳ ନିଷ୍କ୍ରିୟ ଥିବା ନେଇ ଅବଗତ ରହିଛି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ରାଜନେତା । ତେବେ ଗୁରୁପ୍ରିୟା ନଇ ଡେଇଁ ପାରୁ ନ ଥିବା ଆମ ବ୍ୟବସ୍ଥା ସେତୁ ଉଦଘାଟନ ପରେ ସରକାର ସୁଯୋଗ ସୁବିଧା ଲୋକଙ୍କ ନିକଟରେ ପହଁଚାଇବା ଲାଗି ବ୍ଲ୍ରୁୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ । ପ୍ରଥମେ ଲୋକଙ୍କୁ ସର୍ବନିମ୍ନ ସୁଯୋଗ ସୁବିଧା ଯୋଗାଇ ଦେବା ସହ ବିଚ୍ଛିନ୍ନାଂଚଳର ଭିତିଭୂମିର ବିକାଶ ଦିଗରେ ଧ୍ୟାନ ଦିଆ ଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଓ ସାଂସଦ ।୧୯୮୨ ମସିହା ଠାରୁ ଆରମ୍ଭ ହୋଇ ଥିବା ପ୍ରକଳ୍ପ ଶେଷ ହୋଇଛି ୨୦୧୮ ମସିହାରେ । କିନ୍ତୁ ଗୁରୁପ୍ରିୟା ସେତୁ ସରିବା ପରେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେତେ ତତ୍ପରତାର ସହ ସେଇ ଅବହେଳିତ ଅଞ୍ଚଳର ବିକାଶ କରିବେ ତାହା ଏବେ ସବୁ ଠାରୁ ବଡ ପ୍ରଶ୍ନ ।