ଦେବଦୂତ ସାଜି ଆସିଲେ କନଷ୍ଟେବଳ: ବନ୍ୟାରେ ଫଶିଥିବା ୨ କୁନି କୁନି ପିଲାଙ୍କୁ କାନ୍ଧରେ ବସାଇ ଉଦ୍ଧାର କଲେ ପୁଲିସ ଅଧିକାରୀ

ସୋସିଆଲ ମିଡିଆରେ ଭିଡିଓ ଦେଖି ଲୋକେ ମନେ ପକାଇଛନ୍ତି ରାମାୟଣ କଥା

197

ଗୁଜୁରାଟରୁ ଆସିଲା ଜଳପ୍ରଳୟର ଚିତ୍ର । ଦେବଦୂତ ସାଜିଲେ ଉଦ୍ଧାରକାରୀ ଦଳ । ଗୁଜୁରାଟ ବନ୍ୟାରେ ଫଶିଥିବା ଦୁଇ କୁନି କୁନି ପିଲାଙ୍କୁ ଜଣେ ପୁଲିସ ଅଧିକାରୀ ଉଦ୍ଧାର କରିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ସଂପୃକ୍ତ ଅଧିକାରୀ ବେଶ ପ୍ରଶଂସା ସାଉଁଣ୍ଟିଛନ୍ତି । ତେବେ ପୁଲିସ କର୍ମୀ ଜଣକ ଦୁଇ କୁନି କୁନି ପିଲାଙ୍କୁ ନିଜ କାନ୍ଧରେ ବସାଇ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି । ଏହି ଦୃଶ୍ୟକୁ ଦେଖି ଲୋକେ ରାମାୟଣ କଥା ମନେ ପକାଇଛନ୍ତି । ହନୁମାନ ଯେଉଁଭଳି ଭାବେ ରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ନେଇଥିଲେ ଠିକ ସେହିପରି ଦୃଶ୍ୟ ଏହି ଚିତ୍ର ବୟାନ କରିଛି ।

ଗୁଜୁରାଟରେ ବନ୍ୟା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏଠାରେ ବନ୍ୟାରେ ୧୯ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ଅନେକ ରାସ୍ତାରେ ପାଣି ଚାଲିବା କାରଣରୁ ବନ୍ଦ ରହିଛି । ବନ୍ୟାରେ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ସେନା, ଏନଡିଆରଏଫ ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ସେପଟେ, ଦେଶରେ ବନ୍ୟା ଆଁରେ ଫସିଛି ଅଧା ଭାରତ । ୯ ରାଜ୍ୟରେ ବନ୍ୟା ସ୍ଥିତି । ଜଳ ପ୍ରଳୟରେ ଫସିଛନ୍ତି କେରଳ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ । ତେବେ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର । ୧୧ଟି ବନ୍ୟା ପ୍ରଭାବିତ ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ ଶହ ଟପିଲାଣି । କେରଳରେ ବନ୍ୟା ଯୋଗୁଁ ୪୬ ଲୋକଙ୍କ ମୃତ୍ୟୁ ଘଟିଛି । ଲକ୍ଷେ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।