ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଚିନ୍ତା ! ଗବେଷଣା ପାଇଁ ରାଜ୍ୟରେ ହେବ ପ୍ରଥମ ଜନସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ।

37

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରଥମ ଜନ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ । ଦୀର୍ଘଦିନ ଧରି ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରଧୀନ ଥିବା ବେଳେ ଶେଷରେ ଏଥିରେ କ୍ୟାବିନେଟ ମୋହରା ବାଜିଛି । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ବିଶେଷଜ୍ଞ ସୃଷ୍ଟି କରିବା। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସହ କୌଣସି ମେଡିକାଲ କଲେଜ ଅନୁବନ୍ଧିତ ହେବ ନାହିଁ କିମ୍ବା ହସ୍ପିଟାଲ୍ ରହିବ ନାହିଁ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏସିଆନ ପବ୍ଲିକ ହେଲଥ ବିଶ୍ୱବିଦ୍ୟାଳୟ। ପିପିପି ମୋଡରେ ଏସିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ(ଏଆଇପିଏଚ) ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ। ସମ୍ଭବତଃ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ଉପସ୍ଥାପନ କରାଯିବ।

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସମ୍ପ୍ରତି ବିଧାନସଭା ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସରକାରୀ ଭାବେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ମାତ୍ର ୩/୪ ମିନିଟ୍ ପାଇଁ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ପବ୍ଲିକ ହେଲଥ ବିଶ୍ୱବିଦ୍ୟାଳୟ ସମେତ ମୋଟ ତିନିଟି ପ୍ରସ୍ତାବ ଆଗତ କରାଯାଇ ତାହାକୁ ସ୍ୱୀକୃତି ଦିଆଯାଇଥିଲା।

ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଏଆଇପିଏଚ ମଧ୍ୟରେ ୨୦୧୩ ମସିହା ଏପ୍ରିଲ ମାସରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ପିପିପି ମୋଡରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା। ଏଥି ପାଇଁ ଜଟଣୀ ତହସିଲ ଅଧୀନରେ ସରକାର ଜମି ଚିହ୍ନଟ କରିଥିଲେ। ସେତେବେଳେ ସରକାର ୨/୩ ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ କାର୍ୟ୍ୟକ୍ଷମ ହେବ ବୋଲି କହିଥିଲେ ବି ଚାରି ବର୍ଷ ହେଲା ଆରମ୍ଭ ହୋଇପାରି ନାହିଁ।

ଆଜି ଏହି ପ୍ରସ୍ତାବକୁ କ୍ୟାବିନେଟ ସ୍ୱୀକୃତି ମିଳିଲା ପରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବାଟ ଖୋଲିଛି। ତେବେ କ୍ୟାବିନେଟ୍ରେ ଗୃହୀତ ହୋଇଥିବା ପ୍ରସ୍ତାବରେ ବିଶ୍ୱବିଦ୍ୟାଳୟର ରୂପରେଖ କିପରି ରହିଛି, ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ। ଆମେରିକାର ଏକ ପବ୍ଲିକ ହେଲଥ ବିଶ୍ୱବିଦ୍ୟାଳୟ ସହଯୋଗରେ ଏଆଇପିଏଚ ଭୁବନେଶ୍ୱରରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଏନଏସି, ପୌରପାଳିକା ଓ ମହାନଗର ନିଗମର କାଉନସିଲର/କର୍ପୋରେଟରମାନଙ୍କ ବିରୋଧରେ ଦଳବଦଳ ଅଭିଯୋଗରେ ସଭ୍ୟ ପଦ ରଦ୍ଦ ପାଇଁ ହେଉଥିବା ଆବେଦନର ବିଚାର ନିମନ୍ତେ ନିର୍ବାଚନ କମିସନଙ୍କୁ ୩୦ ଦିନ ସମୟ ଦିଆଯାଉଛି। ଏହି ସମୟସୀମା ମଧ୍ୟରେ କମିସନ ତାଙ୍କ ନିଷ୍ପତ୍ତି ଶୁଣାଉଥିଲେ। ସମୟସୀମା କମ ହେଉଥିବାରୁ ତାହାକୁ ବଢ଼ାଇବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା।

ବିଚାରର ସମୟସୀମାକୁ ୯୦ ଦିନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ସ୍ୱୀକୃତି ମିଳିଛି। ଏଥି ପାଇଁ ଆଇନ୍ରେ ଆବଶ୍ୟକ ସଂଶୋଧନ କରାଯିବ। ଜଙ୍ଗଲଜାତ ସାମଗ୍ରୀ ଉପରେ ଜିଏସଟି ଲାଗୁ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟରେ ଗୃହୀତ ହୋଇଥିବା ସୂଚନା ମିଳିଛି।