ସରକାରୀ କାର୍ଯ୍ୟକ୍ରମ ବନାମ ରାଜନୈତିକ ସଭା ! ବଦଳିଲା ମୋଦିଙ୍କ ଆଭିମୁଖ୍ୟ, କ୍ୟାମେରାରେ କଏଦ ହେଲା ରାଜନୀତିର ଦୁଇଟି ଦୃଶ୍ୟ ।

41

କନକ ବ୍ୟୁରୋ : ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଥିଲେ ବେଶ ନରମ । ଆଉ ଯେତେବେଳେ ରାଜନୈତିକ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ, ସେତେବେଳେ ବେଶ୍ ଗରମ ଆଭିମୁଖ୍ୟ ଦେଖାଇଥିଲେ ମୋଦି । ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବରେ ନବୀନଙ୍କ ସହ ହସଖୁସିରେ ଭାବର ଆଦାନ ପ୍ରଦାନ କରୁଥିଲେ, ମାତ୍ର ଦଳୀୟ ସଭାରେ ନବୀନଙ୍କ ନାଁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ ବାରମ୍ବାର ନରମ ଆଭିମୁଖ୍ୟ ଦେଖାଇ ଆସିଥିବା ନବୀନ ମଧ୍ୟ କଡ଼ା ଜବାବ ଦେଇଥିଲେ ମୋଦୀଙ୍କୁ ।

ସରକାରୀ କାର୍ଯ୍ୟକ୍ରମ ବନାମ ରାଜନୈତିକ ସଭା । ବଦଳି ଯାଉଥିଲା ମୋଦିଙ୍କ ଆଭିମୁଖ୍ୟ । ତାଳଚେରରେ ପହଁଚିବା, ସାର କାରଖାନାର ଶିଳାନ୍ୟାସ କରିବା ଓ ସଭାସ୍ଥଳରେ ଅଭିଭାଷଣ ଦେବା, ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ । କରମର୍ଦ୍ଦନ ଠାରୁ ଆରମ୍ଭ କରି ପରସ୍ପର ସହ ହସଖୁସିରେ ଭାବ ବିନିମୟ କରୁଥିଲେ ଦୁଇ ନେତା । ମାତ୍ର କିଛି ମିନିଟ୍ ମଧ୍ୟରେ ମୋଦିଙ୍କ ଆଭିମୁଖ୍ୟ ବଦଳି ଯାଇଥିଲା । ସରକାରୀ କାର୍ଯ୍ୟକ୍ରମ ପରେ ଯେତେବେଳେ ରାଜନୈତିକ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ, ରାଜ୍ୟ ସରକାରଙ୍କ ଉପରେ ଧୁମ୍ ବର୍ଷିଥିଲେ ମୋଦି । ହଠାତ୍ ଆକ୍ରମଣାତ୍ମକ ମୁଦ୍ରାରେ ଅଭିଯୋଗ ପରେ ଅଭିଯୋଗ ଆଣିଥିଲେ ପ୍ରଧାନମନ୍ତ୍ରୀ ।

ଝାରସୁଗୁଡ଼ାରେ ମଧ୍ୟ ସମାନ ଘଟଣାର ପୁନରାବୃତି ହୋଇଥିଲା ।  ବିମାନବନ୍ଦର ଲୋକାର୍ପଣ ସଭା ପରେ ଦୁଇ ନେତା କରମର୍ଦ୍ଦନ କରି କିଛି ସମୟ ପରସ୍ପର ସହ ଭାବ ବିନିମୟ କରିଥିଲେ । ଦୁଇ ନେତା ହସି ହସି ପରସ୍ପରକୁ ଭେଟିଥିଲେ । ଏହାର କିଛି ମିନିଟ୍ ପରେ ଦଳୀୟ ସଭାକୁ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ।  ପିସି କାରବାର ଠାରୁ ଆରମ୍ଭ କରି ଟଙ୍କିକିଆ ଚାଉଳ ଯାଏଁ ୬ଟି ପ୍ରସଙ୍ଗରେ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି । ସିଧା ସଳଖ ନବୀନ ପଟ୍ଟନାୟକଙ୍କ ନାଁ ନେଇ ରାଜ୍ୟ ସରକାରଙ୍କୁ ଠିଆ କରିଥିଲେ କାଠଗଡ଼ାରେ ।

ସେପଟେ ବାରମ୍ବାର ନରମ ଆଭିମୁଖ୍ୟ ଦେଖାଉଥିବା ନବୀନ ମଧ୍ୟ କଡ଼ା ଜବାବ ଦେଇଥିଲେ ମୋଦୀଙ୍କୁ । ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ ପ୍ରଧାନମନ୍ତ୍ରୀ ଆଣିଥିବା କହି ତୈଳଦର ବୃଦ୍ଧି ବାବଦରେ ପଦୁଟିଏ କାହିଁକି କହିଲେ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।  ସ୍କିଲ ଇଣ୍ଡିଆ, ଉଜ୍ଜଳା ଯୋଜନାରେ ହେଉଥିବା ଦୁର୍ନୀତି ବାବଦରେ ମଧ୍ୟ ମୋଦିଙ୍କ ମୁହଁରୁ ପଦୁଟିଏ ବାହାରିନାହିଁ କହି ସିଧାସଳଖ ଧର୍ମେନ୍ଦ୍ରଙ୍କ ବିଭାଗ ଆଡକୁ ଇଙ୍ଗିତ କରିଥିଲେ ନବୀନ । ଅବସର ଥିଲା ପ୍ରକଳ୍ପ ଶିଳାନ୍ୟାସ ଓ ଲୋକର୍ପଣ ଉତ୍ସବ । ହେଲେ ବାରି ହୋଇ ପଡୁଥିଲା ରାଜନୀତିର ଉଷୁମ ପରିବେଶ । ଲାଗୁଥିଲା ସତେ ଯେପରି ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଆଉ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି ନେତା ।