କଟକ ନୟାସଡକ ଅଂଚଳରେ ସୁନା ଦୋକାନରୁ ଚୋରି ଘଟଣା ! ମୋବାଇଲ ଫୋନ୍ ଟ୍ରାକ୍ କରି ଲୁଟେରାକୁ ଧରିବାରେ ସଫଳ ହୋଇଛି ପୁଲିସ୍

47

କନକ ବ୍ୟୁରୋ : କମିଶନରେଟ୍ ପୁଲିସକୁ ମିଳିଛି ବଡ ସଫଳତା । ମୋବାଇଲ ଫୋନ୍ ଟ୍ରାକ୍ କରି ଲୁଟେରାକୁ ଧରିବାରେ ସଫଳ ହୋଇଛି ପୁଲିସ୍ । କଟକ ନୟା ସଡକର ଏକ ସୁନା ଗହଣା ଦୋକାନରୁ ସୁନା ଲୁଟି ନେଇ ଫେରାର ହୋଇଥିବା ଦୋକାନ କର୍ମଚାରୀ ତପନକୁ କାନପୁରରୁ ଗିରଫ କରି କଟକ ଅଣାଯାଇଛି ।

ସୂଚନା ଅନୁଯାୟୀ ଗତ ୯ ତରିଖ ଦିନ କଟକ ନୟାସଡକ ଅଂଚଳରେ ଥିବା ଏକ ସୁନା ଦୋକାନରୁ ଚୋରି ହୋଇଥିଲା । ଏହି ନେଇ ଦୋକାନ ମାଲିକ ସଂଗୀତ ଶାହା କଟକ ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣାର ତଦନ୍ତରୁ ଜାଣିବାକୁ ପାଇଥିଲା ସଂଗୀତଙ୍କ ସୁନା ଦୋକାନରେ କାମ କରୁଥିବା ବିହାର ଅଂଚଳର ତପନ କୁମାର ପାଖାପାଖି ୨ କେଜି ଓଜନର ସୁନା ମୁଣ୍ଡା ନେଇ କଲିକତା ଯାଇଥିଲେ ଅଳଙ୍କାର ବନାଇବା ଲାଗି । ହେଲେ ସେଠାରୁ ସେ କଟକ ନ ଫେରି ଫେରାର ହୋଇଯାଇଥିଲେ ।

ତପନଙ୍କ ମୋବାଇଲ ନମ୍ବର ଟ୍ରାକ କରିବାରୁ ପୋଲିସକୁ ତପନ ଥିବା ଲୋକେସନ ଜଣାପଡିଥିଲା । ତାପରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଯାଇ ତପନକୁ କାନପୁରରୁ ଗିରଫ କରି କଟକ ଆଣିଥିଲା । ଆଜି ତପନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ସମୟରେ ତପନଠାରୁ ପୋଲିସକୁ ୧ କେଜି ୨୫୦ ଗ୍ରାମ ସୁନା ମିଳିଛି ଏବଂ ବାକି ସୁନା ତପନ ବିକ୍ରି କରିଦେଇଛି ବୋଲି ଜଣାପଡିଛି । ତେବେ ଏହି ସୁନାକୁ ତପନ କେଉଁଠାରେ ବିକ୍ରି କରିଛି ପୋଲିସ ତାହାର ଅନୁଧ୍ୟାନ କରୁଛି ।