କଟକ: ରେଳ ଷ୍ଟେସନରୁ ପ୍ରାୟ ଦେଢ କ୍ୱିଂଟାଲ ଭାଙ୍ଗ ଜବତ କଲା ଅବକାରୀ ବିଭାଗ

63

କନକ ବ୍ୟୁରୋ: କଟକ ରେଳ ଷ୍ଟେସନରୁ ପ୍ରାୟ ଦେଢ କ୍ୱିଂଟାଲ ଭାଙ୍ଗ ଜବତ କଲା ଅବକାରୀ ବିଭାଗ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ପରିମାଣର ଭାଙ୍ଗ ସାଙ୍ଗରେ ନେଇ ଆସିଥିଲେ ଜଣେ ୫୦ ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳା । ତାଙ୍କ ନାଁ ଯମୁନା ଦେବୀ ବୋଲି ଜଣାପଡିଛି । ଏହି କାରବାରରେ ଯମୁନାଙ୍କ ସହ ତାଙ୍କ ଭଉଣୀ ନିଲମ ବି ସଂପୃକ୍ତ ବୋଲି ଅବକାରୀ ବିଭାଗ କହିଛି । ପ୍ରାୟ ୨୦ ବର୍ଷ ଧରି ଏମାନେ ବିହାରରୁ ଭାଙ୍ଗ ଚୋରା ଚାଲାଣରେ ଲିପ୍ତ ।

ତେବେ ଏହି କାରବାରକୁ ନେଇ କେତେଗୁଡିଏ ପ୍ରଶ୍ନ ସାମ୍ନାକୁ ଆସୁଛି । ଦୁଇଜଣ ମହିଳା ଏତେବଡ ରାକେଟ ଚଳାଇବା ସମ୍ଭବ କି ? ନା ଏହା ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି । ବିହାରରୁ ପଶ୍ଚିମବଙ୍ଗ ଓ ବାଲେଶ୍ୱର ଦେଇ ଏହି ଗଞ୍ଜେଇ ଭୁବନେଶ୍ୱର, କଟକ ଓ ପୁରୀକୁ ଚାଲାଣ ହେଉଥିବାବେଳେ ରେଳବାଇ ପୋଲିସ ଏନେଇ କୌଣସି ଟେର ପାଉନଥିଲା କେମିତି । ଏତେ ପରିମାଣର ଭାଙ୍ଗ ଟ୍ରେନରେ ଏକା ଲୋଡ କରିବା କଣ ୫୦ ବର୍ଷୀୟ ଯମୁନାଙ୍କ ପକ୍ଷରେ ସମ୍ଭବ?