ଗ୍ୟାଙ୍ଗଷ୍ଟର ବନାମ ଗୋ’ରକ୍ଷକ: କିପରି ହୁଏ ବେଆଇନ ଗୋ-ଚାଲଣ? ଟିଟୋକୁ ଏସଟିଏଫର ଜେରା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ

58

କନକ ବ୍ୟୁରୋ: ଗୋଟିଏ ପଟେ ଗୋ-ରକ୍ଷକଙ୍କ ନଜର, ସେପଟେ ଚାଲିଛି ବେଆଇନ ଭାବେ ଗୋ-ଚାଲଣ । ଏହି ଛକାପଞ୍ଝା ଭିତରେ କେତେବେଳେ ଧରା ପଡ଼ୁଛି ଗୋ-ଚାଲଣ ଟ୍ରକ, ତ କେତେବେଳେ ରାଜ୍ୟର ସୀମା ଟପି ଚାଲି ଯାଉଛି ଗୋରୁ ଭର୍ତି କଂଟେନର୍ । ଆଉ ଏହାରି ଭିତରେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ଅତି ସାଂଘାତିକ । ଗ୍ୟାଙ୍ଗଷ୍ଟରର ସୁରକ୍ଷା ବଳୟରେ କିପରି ଗୋ-ଚାଲଣ ହେଉଛି, ତାର ଏକ ଚିତ୍ର ସାମନାକୁ ଆସିଛି ।

ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲଣ କାରବାରର ପର୍ଦାଫାସ କରିଛି ଏସଟିଏଫ୍ । ରାଜ୍ୟ ବାହାରେ ଓ ଦେଶ ବାହରକୁ ହେଉଥିବା ଗୋ-ଚାଲଣର ମୁଖ୍ୟ କାପର୍ଟଦାର ହେଉଛି ଟିଟୋ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବଟୁ ପାଣି ଗିରଫ ହେବା ପରେ ସାମନା ଆସୁଛି ଏହିଭଳି କିଛି ସଂଗୀନ ତଥ୍ୟ । ସ୍ପେଶାଲ୍ ଟ୍ୟାକ୍ସ ଫୋର୍ସ ସଂଦେହ କରୁଛି, ବଟୁ ପାଣି ହିଁ ଟିଟୋର ଗୋ’ଚାଲଣ ନେଟୱର୍କକୁ କରୁଥିଲା ପରିଚାଳନା ।

ଅତି ସଂଗଠିତ ଭାବେ ହୋଇଥାଏ ଏହି ବେଆଇନ ଗୋଚାଲଣ । ସୁରକ୍ଷା ଯୋଗାଇଥାଏ ଗ୍ୟାଙ୍ଗଷ୍ଟର ଟିଟୋ । ଗୋରୁ ଭର୍ତି ଟ୍ରକକୁ ସୀମା ପାରି କରାଇଥାନ୍ତି ଟିଟୋର ସହଯୋଗୀ ବଟୁ ପାଣି ଓ ତା’ର ଗୁଣ୍ଡାବାହିନୀ । ପୂରା ଫିଲ୍ମ ଷ୍ଟାଇଲରେ ହୋଇଥାଏ ଏହି ଅପରେସନ୍ । ଚାଲଣକାରୀଙ୍କୁ ସୁରକ୍ଷା ଦେବା ପାଇଁ ପାଇଲଟ୍ ଭ୍ୟାନ ଭଳି ଗ୍ୟାଙ୍ଗଷ୍ଟରର ବଛା ବଛା ଗୁଣ୍ଡା ମାଉଜର, ବୋମା, ହକି ଷ୍ଟିକରେ ସଜ୍ଜିତ ହୋଇ ଦୁଇଟି ଗାଡିରେ ଯାଇଥାନ୍ତି । ମଝିରେ ଥାଏ ଗାଇଗୋରୁ ଭର୍ତି କଂଟେନର୍ ।

ଗୋ-ରକ୍ଷକଙ୍କ କବଳରୁ ଗୋ-ଚାଲଣକାରୀଙ୍କୁ ସୁରକ୍ଷା ଦେବା ପାଇଁ ହାଇୱେ ଉପରେ ମାରଣାସ୍ତ୍ର ଧରି ୩୦ରୁ ୪୦ ଦୁର୍ଦ୍ଦାନ୍ତ ଅପରାଧୀ ପଇଁତରା ମାରୁଥାନ୍ତି । ଗୋରୁ ଟ୍ରକକୁ ଖୋର୍ଦ୍ଧାରୁ ବେଗୁନିଆ, ଭୁବନେଶ୍ୱର, ଭଦ୍ରକ, ଜଳେଶ୍ୱର ଦେଇ କୋଲକାତା ଯାଇଥାଏ । ଆଉ ସେଠାରୁ ତ୍ରିପୁରା ଦେଇ ବାଂଲାଦେଶକୁ ପଠାଇଥାଏ ଟିଟୋର ଗ୍ୟାଙ୍ଗ ।