ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ ! ୮୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହେବ

97

କନକ ବ୍ୟୁରୋ : ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଗଜପତି ଜିଲ୍ଲା ଗସ୍ତ ଅବସରରରେ ମୋହନା, ନୂଆଗଡ଼, ଆର୍ ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏଥିରୁ ୬୬ କୋଟି ଟଙ୍କା ମୂଲ୍ୟର ୧୨୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ  ଜିଲ୍ଲାରେ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

image courtesy – www.telegraphindia.com

ସେହିପରି ଆଜି ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ତିବ୍ଦତୀୟ ଧର୍ମପୀଠ ମହାବିହାରରେ ପ୍ରସ୍ତୁତି ସରିଛି । ସେଠାରେ ପଦ୍ମପୋଖରୀରେ ୫୦ଲକ୍ଷ ଟଙ୍କାରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ  । ତା’ସହ ପ୍ରାୟ ୧୦ହଜାରରୁ ଅଧିକ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।