ପଶ୍ଚିମବଙ୍ଗରୁ ଆସିବ ସ୍ୱତନ୍ତ୍ର ‘ଗଜ ଗାଡ଼ି’ ! ହାତୀ ଘଉଡ଼ାଇବାକୁ ସରକାରଙ୍କ ଯୋଜନା

172

କନକ ବ୍ୟୁରୋ : ୨୦୧୮ ବର୍ଷତମାମ ସହର ଓ ଗାଁମୁହାଁ ‌ହୋଇଥିଲେ ହାତୀପଲ । ଭୁବନେଶ୍ୱର ଭିତରକୁ ପଶିଥି‌ଲେ, କଟକରେ ବି ଉତ୍ପାତ କରିଥିଲେ ଜଙ୍ଗଲୀ ହାତୀ । ସେହିପରି ହାତୀପଲ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳକୁ ପ୍ରବେଶ କରି ଧନଜୀବନ କ୍ଷତି କରି ଚାଲିଛନ୍ତି । ହାତୀ ଓ ମଣିଷ ଲଢ଼େଇ ବର୍ଷକୁ ବର୍ଷ ବଢ଼ୁଥିବାରୁ ତାହାକୁ ରୋକିବା ପାଇଁ ନୂଆବର୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ । ସରକାରୀ ଜମି ସହ ଘରୋଇ ଜମିରେ ସୋଲାର ଫେନ୍ସିଂ ଓ ଟ୍ରେଞ୍ଚ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ହାତୀ ଘଉଡ଼ାଇବାକୁ ପଶ୍ଚିମବଙ୍ଗରୁ ସ୍ବତନ୍ତ୍ର ‘ଗଜ ଗାଡ଼ି’ ଅଣିବାକୁ ଯୋଜନା କରାଯାଇଛି ।

ଖାଦ୍ୟ ଅନ୍ୱେଷଣରେ ପ୍ରତିବର୍ଷ ‌ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାତୀପଲ ଗାଁ ଓ ସହରମୁହାଁ ହୋଇଥାନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ‌ ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି । ଲୋକଙ୍କ ପ୍ରାଣ ଯାଉଛି । ଜଙ୍ଗଲୀ ହାତୀ ଯେପରି ସହର ଓ ଜନବସତି ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସୋଲାର ଫେନ୍ସିଂ କରାଯାଇଛି । ହେଲେ ସେଗୁଡ଼ିକ ଏବେ ଠିକ୍‌ ଭାବେ କାମ କରୁ ନଥିବା ଦେଖିବାକୁ ମିଳୁଛି । ସୋଲାର ଫେନ୍ସିଂକୁ ହାତୀ ମାନୁନାହାନ୍ତି । ବହୁ ସ୍ଥାନରେ ଭାଙ୍ଗିଯାଇଛି । କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, ଗଞ୍ଜାମ, ‌ଢ଼େଙ୍କାନାଳ, ଅନୁଗୁଳ ଆଜି ଜିଲ୍ଲାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି ।

ଏପରି ହୋଇଛି ଯେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୬୮୦ ଜଣଙ୍କ ପ୍ରାଣ ଯାଇଛି । ୫୪୮ ହାତୀଙ୍କର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଙ୍କ ବାଟ ଓଗାଳିବାକୁ ଏଥର ସରକାରୀ ଜମି ପରିବର୍ତ୍ତେ ଘରୋଇ ଜମିରେ ଟ୍ରେଞ୍ଚ୍ ଖୋଳାଯିବ । ସେଠାରେ ସୋଲାର ଫେନ୍ସିଂ ବି କରାଯିବ । ସମ୍ପୃକ୍ତ ଜମି ମାଲିକଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ । ଏହି ସମସ୍ତ କାର୍ଯ୍ୟ ପିପିପି ମୋଡରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ହାତୀଙ୍କୁ ଘଉଡ଼ାଇବା ଲାଗି ମାସକ ମଧ୍ୟରେ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ‘ଗଜ ଗାଡ଼ି’ ଅଣାଯିବ । ଏଥିରେ ସାଇରନ୍‌, ଟ୍ରାଙ୍କୁଲାଇଜର, କ୍ରେନ୍‌ ଭଳି ବିଭିନ୍ନ ସରଞ୍ଜାମ ରହିଛି । ଗାଡ଼ି ଉପରେ ବସି ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ା‌ ଯାଇପାରିବ ।