ପୋକରା କ୍ଷେତକୁ ନେଇ ସଜ ରାଜନୀତି ! ନବୀନ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ, କହିଲେ, ସଂକଟରେ ଅଛି ଓଡ଼ିଶା ଚାଷୀ

33

କନକ ବ୍ୟୁରୋ : ଚକଡ଼ା ପୋକ ଯୋଗୁଁ ଫସଲ କ୍ଷୟକ୍ଷତି ନେଇ ରାଜ୍ୟ-କେନ୍ଦ୍ର ଟଣାଓଟରା ଭିତରେ ଆଜି ଓଡ଼ିଶାରେ ପହଂଚିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଓଡିଶାରେ ପାଦ ଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡିଶାର ଚାଷୀ ସଙ୍କଟ ଦେଇ ଗତି କରୁଛନ୍ତି । ଚକଡା ପୋକ ଦାଉ, ଚାଷୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି । ଓଡିଶାର କୃଷକ ସଙ୍କଟରେ ଅଛନ୍ତି । ୧୪ ଜିଲ୍ଲାରେ ଭୟାବହ ମରୁଡି । ଆଉ ବଳକା ଜିଲ୍ଲାରେ ଚକଡା ପୋକ ଦାଉରୁ ଆତ୍ମହତ୍ୟା କରିବାକୁ ଚାଷୀ ବାଧ୍ୟ ହେଉଛି ।

ଉଜୁଡା ଫସଲ ଓ ଚାଷୀ ଆତ୍ମହତ୍ୟାକୁ ନେଇ ଚାଲିଛି ରାଜନୀତିର ଚାଷ । ହେଲେ ବିଜେଡି ଅଭିଯୋଗ କରିଛି, ଭାରତୀ ଜନତା ପାର୍ଟିର ଫୋକସରେ ରହିଛି ବିଜେପୁର ଉପନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଓଡିଶାକୁ ଛୁଟୁଛି ମାଳ ମାଳ ବିଜେପି ନେତାଙ୍କ ସୁଅ । ଏସବୁ ଭିତରେ ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କୃଷି ସଚିବ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ରାଜ୍ୟର ମରୁଡ଼ି ସ୍ଥିତି ଏବଂ ଚକଡ଼ା ପୋକ ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ।

ସ୍ଥିତି ପରଖିବାକୁ ଫସଲ କ୍ଷତିଗ୍ରସ୍ତ ଅଂଚଳ ବୌଦ୍ଧ, ବରଗଡ ଓ ସୋନପୁର ଯିବେ କେନ୍ଦ୍ରମନ୍ତ୍ରୀ । ଏହାପରେ ପ୍ରସ୍ତୁତ ହେବ ଚାଷୀ କ୍ଷୟକ୍ଷତିର ଫାଇନାଲ ରିପୋର୍ଟ । ହେଲେ ଏହାରି ଭିତରେ ଜୋର୍ ଧରିଛି ରାଜନୀତି ।