ସାଇକେଲ ପରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଜୋତା ! ଆସନ୍ତା ୧୪ରେ ଘୋଷଣା କରିପାରନ୍ତି ନବୀନ
କନକ ବ୍ୟୁରୋ : ସ୍କୁଲ ୟୁନିଫର୍ମ, ପାଠ୍ୟପୁସ୍ତକ,ସାଇକେଲ ଓ ମଧ୍ୟାହ୍ନଭୋଜନ ପରେ ଏବେ ଜୋତା ପାଳି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଜୋତା । ଆସନ୍ତା ୧୪ ତାରିଖରେ ପାଳିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବାର ସମ୍ଭାବନା ରହିଛି।କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ବଣ୍ଟିବେ ରାଜ୍ୟ ସରକାର। ଚଳିତବର୍ଷ କି ଆସନ୍ତା ଶିକ୍ଷାବର୍ଷରୁ ଜୋତା ବାଣ୍ଟାଯିବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ହେଲେ ମାଗଣା ଜୋତା ବାଣ୍ଟିବା ଲାଗି କେଉଁଠୁ ଅର୍ଥ ଖର୍ଚ୍ଚ କରାଯିବ ତାହାକୁ ନେଇ ଆରମ୍ଭ ହୋଇଛି ଚିଠି ଆଦାନପ୍ରଦାନ। ସର୍ବଶିକ୍ଷା ଅଭିଯାନରେ ମିଳୁଥିବା ଅର୍ଥରେ ଜୋତା କିଣାଯାଇ ପିଲାଙ୍କୁ ଦିଆଯାଇ ପାରିବ କି ନାହିଁ ତାହା ଉପରେ ରିପୋର୍ଟ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓପେପା ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକଙ୍କୁ କୁହାଯାଇଛି।
ଶିକ୍ଷା ଅଧିକାର ଆଇନ-୨୦୦୯ ଓ ଶିକ୍ଷା ଅଧିକାର ନିୟମାବଳୀ-୨୦୧୦ ଅନୁସାରେ ୟୁନିଫର୍ମରେ ଜୋତା ସାମିଲ କରିବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ ଅଧ୍ୟକ୍ଷ ଶ୍ରୁତି କାକେର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପରାମର୍ଶ ଦେଇଥିଲେ।
ଏଥିରେ ସେ କହିଥିଲେ ଯେ ୟୁନିଫର୍ମ, ପାଠ୍ୟପୁସ୍ତକ, ମଧ୍ୟାହ୍ନଭୋଜନ ପରି ଜୋତା ମଧ୍ୟ ଛାତ୍ରଛାତ୍ରୀଙ୍କର ଏକ ପ୍ରମୁଖ ଆବଶ୍ୟକତା। ଜୋତା ଦ୍ୱାରା ଛାତ୍ରଛାତ୍ରୀ ଦୃଢ଼ ବିଶ୍ୱାସୀ ହୋଇଥାନ୍ତି। ସାରା ଦେଶରେ ଜଳବାୟୁ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଲାଗି ଜୋତାର ବି ବହୁତ ଆବଶ୍ୟକତା ରହିଛି। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା କେତେକ ପିଲାଙ୍କ ଅଭିଭାବକ ଜୋତାର ମହତ୍ତ୍ୱ ବୁଝିଛନ୍ତି। ଯେଉଁଥିପାଇଁ ସେମାନେ ତାଙ୍କ ପିଲାଙ୍କୁ ଜୋତା ପିନ୍ଧିବା ଲାଗି ପ୍ରୋତ୍ସାହିତ କରୁଛନ୍ତି। ହେଲେ ଅନେକ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନଙ୍କ ପିଲାଙ୍କୁ ଜୋତା ଦେଇପାରୁ ନାହାନ୍ତି। ସେହି ପିଲାମାନେ ବିଦ୍ୟାଳୟରେ ନିଜକୁ ଲାଞ୍ଛିତ ମନେ କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଜୋତା ଯୋଗାଇ ଦେବା ଲାଗି ପରାମର୍ଶ ଦେଇଥିଲେ।
ଚିଠି ମିଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ଓପେକା ପ୍ରକଳ୍ପ ନିର୍ଦେଶକଙ୍କୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରାଯାଇପାରିବ କି ନାହିଁ, ଚଳିତ ଶିକ୍ଷାବର୍ଷରେ ଜୋତା ଦେଇ ହେବ କି ନାହିଁ, ୟୁନିଫର୍ମରେ ଜୋତା ସାମିଲ କଲେ କେତେ ପାଣ୍ଠି ଆବଶ୍ୟକ ତାହା ଉପରେ ଜଣାଇବାକୁ କୁହାଯାଇଥିଲା। ଶୁକ୍ରବାର ସୁଦ୍ଧା ଜଣାଇବାକୁ କୁହାଯାଇଥିଲେ ମଧ୍ୟ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଛନ୍ତି ଯେ ରିପୋର୍ଟ ଦିଆଯାଇପାରି ନାହିଁ। ଗତକାଲି ଚିଠି ଆସିଛି। ତେଣୁ ଯେତେଶୀଘ୍ର ସମ୍ଭବ ଆମେ ଜଣାଇବୁ ବୋଲି କହିଛନ୍ତି ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ।