ଅନଲାଇନରେ ବର ଖୋଜିବାକୁ ଯାଇ ଠକିଗଲେ ଯୁବତୀ ! ଲଣ୍ଡନରେ ଡାକ୍ତର ଥିବା କହି ୧୨ଲକ୍ଷ ଟଙ୍କା ନେଇଗଲେ ଠକ ଯୁବକ

27

କନକ ବ୍ୟୁରୋ : ଅନଲାଇନରେ ବର ଖୋଜିବାକୁ ଯାଇ ଠକିଗଲେ ଯୁବତୀ । ଲଣ୍ଡନରେ ଡାକ୍ତର ଥିବା କହି ୧୨ଲକ୍ଷ ଟଙ୍କା ଠକି ନେଇଛନ୍ତି ଠକ ଯୁବକ । ବିବାହ ପାଇଁ ପଞ୍ଜିକରଣ କରୁଥିବା ୱେବସାଇଟ୍ ଜୀବନସାଥୀ-ଡଟ୍-କମ୍ ଜରିଆରେ ପରିଚିତ ହୋଇଥିବା ରାଜଧାନୀର ଜଣେ ଯୁବତୀ ୧୨ଲକ୍ଷ ୪୦ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି । ଲଣ୍ଡନରେ ଡାକ୍ତର ଥିବା ଅର୍ଜ୍ଜୁନ ପ୍ରଦୀପ ନାମକ ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀ ଜଣକ ଅଭିଯୋଗ କହିବା ଅନୁଯାୟୀ ଯୁବକ ଜଣକ ଆଫଗାନିସ୍ତାନକୁ ଏକ ଜରୁରୀ କାଯ୍ୟରେ ଯାଉଛନ୍ତି ଏବଂ ତାଙ୍କ ନିକଟରେ କିଛି ଟଙ୍କାର ଆବଶ୍ୟକ ରହିଛି । ତେଣୁ ସେହି ଆବଶ୍ୟକତା ପୂରଣ କରିବା ପାଇଁ ଆର୍ଥିକ ସହାୟତା ମାଗିଥିଲେ । ଆଉ ବିବାହ କରିବାର ମିଛ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କଠାରୁ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ମଧ୍ୟ ଯୁବକର ମନ ମାନିନି । ସେ ଆହୁରି ଟଙ୍କା ମାଗିବା ସହ ଧମକ ମଧ୍ୟ ଦେଉଥିବାର ଅଭିଯୋଗ କରିଛନ୍ତି ଯୁବତୀ ।