ତିନି ଦିନରେ ‘ତିତଲି’ ନେଲା ଭୟଙ୍କର ରୂପ ! ଆଗାମୀ ୧୨ ଘଂଟାରେ ଆହୁରି ଭୟଙ୍କର ହେବା ଆଶଙ୍କା, ସ୍ଥଳଭାଗରେ ପ୍ରଭାବକୁ ନେଇ ବଢିଲା ଭୟ ।

69

କନକ ବ୍ୟୁରୋ : କେତେବେଳେ ଗତି କମୁଥିଲା ଆଉ କେତେବେଳେ ତୀବ୍ର ହେଉଥିଲା । ସମୁଦ୍ର ଭିତରେ ଯେତେ ବିଳମ୍ବ ହେଉଥିଲା, ସେତିକି ଶକ୍ତିଶାଳୀ ହେଉଥିଲା ବାତ୍ୟା-ତିତଲି । ତିନି ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଏବେ ନେଇଛି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ । ଜାଣନ୍ତୁ କେମିତି ଉଗ୍ର ହେଉଥିଲା ତିତଲି ।

୭ ଅକ୍ଟୋବର । ଦିନ ୧ଟା ୩୦ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପାଣିପାଗ ବିଭାଗ ଆକଳନ କଲା ଲଘୁଚାପ ଅବପାତର ରୂପ ନେଇ ଓଡିଶାରେ ବର୍ଷା କରିବ । ୭ ଅକ୍ଟୋବର, ସନ୍ଧ୍ୟା ୫ଟା । ସମୁଦ୍ର ଭିତରେ ୱେଲମାର୍କ ଲୋପ୍ରେସର ଧିରେ ଧିରେ ଡିପ୍ରେସନର ରୂପ ନେଉଥିଲା । ୮ ଅକ୍ଟୋବର ସକାଳ ୮ଟା ୩୦ । ଗୋପାଳପୁର ଠାରୁ ପ୍ରାୟ ୭୨୦ କିଲୋମିଟର ଦୂରରେ ଅବପାତର ରୂପ ନେଲା ଲଘୁଚାପ । ୮ ଅକ୍ଟୋବର ସକାଳ ୧୧ଟା ୩୦ । ଗୋପାଳପୁର ଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଡିପ୍ରେସନ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିଲା । ୨୪ ଘଂଟା ମଧ୍ୟରେ ଲଘୁଚାପ, ଗଭୀର ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିଲା । ଆଉ ଅପେକ୍ଷା ଥିଲା, କେତେବେଳେ ଏହା ବାତ୍ୟାର ରୂପ ନେବ ।

୯ ଅକ୍ଟୋବର । ଅପରାହ୍ନ ପ୍ରାୟ ୪ଟା । ଯାହା ଆକଳନ କରାଯାଉଥିଲା ତାହା ହେଲା ।  ଗୋପାଳପୁରଠାରୁ ପ୍ରାୟ ୫୩୦ କିଲୋମିଟର ଦୂରରେ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇସାରିଥିଲା ଡିପ୍ ଡିପ୍ରେସନ୍ । ବାତ୍ୟାର ରୂପ ନେଇ ମାଡି ଆସୁଥିଲା ଓଡିଶା ଉପକୂଳକୁ । ୧୦ ଅକ୍ଟୋବର । ସକାଳ ପ୍ରାୟ ୫ଟା ୩୦ । ଗୋପାଳପୁର ଠାରୁ ୩୭୦ କିଲୋମିଟର ଦୂରରେ ସାଇକ୍ଲୋନିକ ଷ୍ଟର୍ମ ଏଥର ପରିଣତ ହୋଇସାରିଥିଲା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ । ଦୂରତା କମୁଥିଲା ଆଉ ଗତି ବଢୁଥିଲା । ଆଗ ଅପେକ୍ଷା ଅଧିକ ଉଗ୍ର ହୋଇ ସାରିଥିଲା ସାମୁଦ୍ରିକ ଝଡ । ସମୁଦ୍ର ଭିତରେ ରହି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେଉଥିଲା ବାତ୍ୟା-ତିତଲି ।

୧୦ ଅକ୍ଟୋବର ଦିନ ପ୍ରାୟ ୨ ଟା । ପାଣିପାଗ ବିଭାଗ ତାଜା ବୁଲେଟିନ୍ ଜାରି କରି ସୂଚନା ଦେଲା, ଗୋପାଳପୁର ଠାରୁ ୨୩୦ କିଲୋମିଟର ଦୂରରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ, ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇସାରିଛି । ଏବେ ପାଣିପାଗ ବିଭାଗ ଆକଳନ କରୁଛି, ଆସନ୍ତା ୧୨ ଘଂଟା ମଧ୍ୟରେ ଭୟଙ୍କର ରୂପ ନେଇପାରେ ତିତଲି । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ଥିବା ବାତ୍ୟା, ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ଏକ୍ସଟ୍ରିମଲି ସିଭିିୟର ସାଇକ୍ଲୋନିକ ଷ୍ଟର୍ମ ହେଉଛି ବାତ୍ୟାର ଷଷ୍ଠ ପର୍ଯ୍ୟାୟ । ଯାହାର ପ୍ରକୋପ ଓ ପ୍ରଭାବ ଯଥେଷ୍ଟ ଅଧିକ । ଏକ୍ସଟ୍ରିମଲି ସିଭିିୟର ସାଇକ୍ଲୋନିକ ଷ୍ଟର୍ମ ଅଧିକ ଘନୀଭୂତ ହେଲେ ସୁପର ସାଇକ୍ଲୋନ ବା ମହାବାତ୍ୟାର ରୂପ ଆସେ ।