ଭଗବାନ ଭରସାରେ ଜଙ୍ଗଲୀ ନିଆଁ ! ୧୫ ଦିନ ଧରି ଜଳୁଛି ନୀଳଗିରି କୁଳଡିହା ଅଭୟାରଣ୍ୟ

66

କନକ ବ୍ୟୁରୋ : ଜଳୁଛି କୁଳଡିହା ଅଭୟାରଣ୍ୟ । ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମଦେବୀଙ୍କ ଶରଣ ପଶିଲେ ଗାଁ ବାସିନ୍ଦା ଓ ବନବିଭାଗ । କିଛି ଏପରି ଘଟଣା ଘଟିଛି ବାଲେଶ୍ୱର ନୀଳଗିରିରେ । ଗତ ୧୫ ଦିନ ଧରି କୁଳଡିହା ଜଙ୍ଗଲ ଜଳୁଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ବାସିନ୍ଦା ।

ବନବିଭାଗ କର୍ମଚାରୀ ଓ ନୀଳଗିରି ବାସିନ୍ଦା ଗ୍ରାମଦେବୀ ପୁଜା କରୁଛନ୍ତି । ଏହି ପୂଜାର ଉଦ୍ଦେଶ୍ୟ କେବଳ କୁଳଡିହା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା । ପାରମ୍ପରିକ ରୀତି ନୀତି ସହ ଗ୍ରାମଦେବୀ ମା’ ପାଟଖଣ୍ଡେଇଙ୍କ ପୂଜା ଜାରିରହିଥିବା ବେଳେ ଜଳିବାରେ ଲାଗିଛି କୁଳଡିହା ଜଙ୍ଗଲ । ଦୀର୍ଘ ୧୫ ଦିନ ଧରି ଜଙ୍ଗଲରେ ଅଗ୍ନି କାଣ୍ଡ ଜାରିରହିଛି । ଯେଉଁ କାରଣରୁ ଜଙ୍ଗଲୀ ଜନ୍ତୁ ଓ ପଶୁପକ୍ଷୀ ବାସହରା ହୋଇପଡ଼ିଛନ୍ତି ।

ତେବେ ଏ ପୂଜା ପଛରେ ରହିଛି ଅନେକ ବର୍ଷର ଇତିହାସ । ନୀଳଗିରି ତତ୍କାଳୀନ ରାଜା ସ୍ୱର୍ଗତ କିଶୋର ଚନ୍ଦ୍ର ମଙ୍ଗରାଜ୍ କୁଳଡିହା ଜଙ୍ଗଲକୁ ଅଗ୍ନିକାଣ୍ଡ, ଶିକାରୀ ଓ ମାଫିଆଙ୍କ କବଳରୁ ରକ୍ଷା କରିବାକୁ ପ୍ରଥମେ ଆରମ୍ଭ କରିଥିଲେ ମା’ ପାଟଖଣ୍ଡେଇଙ୍କ ପୁଜାର୍ଚ୍ଚନା । ଜଙ୍ଗଲ ଜଳୁଥିବାରୁ ଯାତନାରେ ଅଛନ୍ତି ଜଙ୍ଗଲୀ ଜନ୍ତୁ । ଏଥିସହ ବହୁ ମୂଲ୍ୟବାନ ଗଛ ପୋଡ଼ିଯାଇଛି ଏହି ଅଗ୍ନିକାଣ୍ଡରେ । ଅନ୍ୟପଟେ ବର୍ଷା ସମ୍ଭାବନା କମ ଥିବାରୁ ଜଙ୍ଗଲ ନିଆଁ ସହଜରେ ନ ଲିଭିବା କୁହାଯାଉଛି । ଯାହା ବନ କର୍ମଚାରୀଙ୍କ ପାଇଁ ମଧ୍ୟ ପାଲଟିଛି ମୁଣ୍ଡବିନ୍ଧାର କାରଣ ।