ରେଲୱେ ଷ୍ଟେସନରେ ବିମାନବନ୍ଦର ନିୟମ ! ଏଣିକି ଯାତ୍ରୀଙ୍କୁ ଟ୍ରେନ ଛାଡିବାର ୨୦ ମିନିଟ୍ ପୂର୍ବରୁ ପହଞ୍ଚିବାକୁ ପଡିବ ଷ୍ଟେସନ

448

ନୂଆ ବର୍ଷରୁ ନୂଆ ନିୟମ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ରେଳଷ୍ଟେସନରେ ମଧ୍ୟ ବିମାନବନ୍ଦର ଭଳି ସିକ୍ୟୁରିଟି ଚେକିଂର ବ୍ୟବସ୍ଥା କରିବାକୁ ଯାଉଛି ଭାରତୀୟ ରେଳ ବିଭାଗ । ନୂଆ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ବିମାନବନ୍ଦର ଭଳି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମଧ୍ୟ ଟ୍ରେନ ଛାଡିବାର ନିର୍ଦ୍ଧାରିତ ୨୦ ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ । ଯଦି ଟ୍ରେନ ଛାଡିବାର ୨୦ ମିନିଟ୍ ପୂର୍ବରୁ ଯାତ୍ରୀ ପ୍ଲାଟଫର୍ମ ମଧ୍ୟକୁ ନ ଯାଇଥାନ୍ତି ତେବେ ତାଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାତ୍ରୀ ମାନଙ୍କୁ ୧୫ରୁ ୨୦ ମିନିଟ୍ ପୂର୍ବରୁ ପହଞ୍ଚିବାକୁ କୁହାଯାଉଛି । ତେବେ ଏହି ନୂଆ ବ୍ୟବସ୍ଥା ଦେଶର ସମସ୍ତ ରେଲୱେ ଷ୍ଟେସନରେ ଲାଗୁ କରାଯାଇନାହିଁ ।

ରେଲୱେ ସୁରକ୍ଷା ବଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କ କହିବା ଅନୁଯାୟୀ, କୁମ୍ଭମେଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଏହି ଯୋଜନା ଚଳିତ ମାସ ଏହ୍ଲାବାଦ ରେଲୱେ ଷ୍ଟେସନରେ ଆରମ୍ଭ କରାଯାଇଛି । ଏହାଛଡା କର୍ଣ୍ଣାଟକର ହୁବଲୀ ଷ୍ଟେସନରେ ମଧ୍ୟ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । କେବଳ ଏହି ଦୁଇଟି ଷ୍ଟେସନ ନୁହେଁ ପରବର୍ତ୍ତୀ ସମୟରେ ଦେଶର ୨୦୨ଟି ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ପୂରା ରେଲୱେ ଷ୍ଟେସନକୁ ସିଲ୍ କରାଯିବ । ଏହାଦ୍ୱାରା ରେଲୱେ ଷ୍ଟେସନକୁ ପୂରା ସୁରକ୍ଷାବଳୟ ମଧ୍ୟରେ ରଖାଯିବ । କିଛି ଆବଶ୍ୟକୀୟ ଦ୍ୱାରକୁ ଛାଡି ରେଲୱେ ଷ୍ଟେସନରେ ଥିବା ଅନ୍ୟ ଦ୍ୱାରକୁ ସ୍ଥାୟୀ କବାଟ ନିର୍ମାଣ କରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । ଏପରିକି କିଛି ଦ୍ୱାରରେ ଆରପିଏଫ ଯବାନ ମାନଙ୍କୁ ମୁତୟନ କରାଯିବ ।

ଅରୁଣ କୁମାରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ହଠାତ୍ ଯାତ୍ରୀଙ୍କର ଯାଞ୍ଚ କରାଯିବ । ତେବେ ବିମାନବନ୍ଦର ଭଳି ଏକ ଘଣ୍ଟା ପୂର୍ବରୁ ଆସିବାର ଆବଶ୍ୟକତା ନାହିଁ ବରଂ ଟ୍ରେନ ଛାଡିବାର ୨୦ ମିନିଟ ପୂର୍ବରୁ ଯାତ୍ରୀ ମାନେ ରେଲୱେ ଷ୍ଟେସନକୁ ଆସିପାରିବେ । ଏହାଦ୍ୱାରା ଯାତ୍ରୀ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ।