ରାଫେଲ୍ ଡିଲକୁ ନେଇ ରକ୍ଷାମନ୍ତ୍ରୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ ! କହିଲେ ପ୍ରମାଣ କର ନହେଲେ ଇସ୍ତଫା ଦିଅ ।

208

ରାଫେଲ୍ ଡିଲକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ରବିବାର ଅଭିଯୋଗ ଆଣିଛି କଂଗ୍ରେସ । ହିନ୍ଦୁସ୍ଥାନ ଏରୋନୋଟିକ୍ସକୁ ୧ ଲକ୍ଷ କୋଟି ଟଙ୍କାର କିଣା ପାଇଁ ଆଦେଶ ଦିଆଯାଇଥିବାର ଯେଉଁ ତଥ୍ୟ ରକ୍ଷାମନ୍ତ୍ରୀ ଦେଇଥିଲେ ତାହା ସମ୍ପୂର୍ଣ୍ଣ ମିଛ ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଉ ଏହି ବାବଦରେ ହାଲ୍ କହିଛି, କମ୍ପାନୀକୁ ଟଙ୍କାଟିଏ ବି ମିଳିନାହିଁ । ତେବେ ଗୋଟିଏ ଦିନ ପୂର୍ବରୁ ରାଫେଲ୍ ଡିଲକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଥିଲେ, ମୋଦି ନିଜର ସୁଟ୍ ବୁଟ୍ ପିନ୍ଧା ବନ୍ଧୁମାନଙ୍କୁ ସାହାଯ୍ୟ କରିବା ପାଇଁ ହାଲକୁ ଦୁର୍ବଳ କରିଛନ୍ତି ।

ଗତକାଲି ରାଫେଲ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ନିର୍ମଳା ସୀତାରମଣଙ୍କୁ ଘେରିବାକୁ ଚେଷ୍ଟା କରିଥିବା ବେଳେ ଏନେଇ ଟ୍ୱିଟ୍ ମଧ୍ୟ କରିଥିଲେ  । ରାହୁଲ କହିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨ଘଂଟା ଧରି ନିଜ ବକ୍ତବ୍ୟ ରଖିଲେ କିନ୍ତୁ ତାଙ୍କର ୨ଟି ସାଧାରଣ ପ୍ରଶ୍ନର ଜବାବ୍ ଦେଇପାରିଲେ ନାହିଁ  ।

ତେବେ ରାଫେଲ ଡିଲ ନେଇ ସଂସଦରେ ହୋହଲ୍ଲା ଭିତରେ ବିବୃତି ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଏଥିସହ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଜବାବରେ କଂଗ୍ରେସକୁ ପଚାରିଥିଲେ ୫ ଗୋଟି ପ୍ରଶ୍ନ  ।

– ଲଢୁଆ ବିମାନ କିଣିବା ପ୍ରସ୍ତାବକୁ କଂଗ୍ରେସ ୧୦ବର୍ଷ ଝୁଲାଇ ରଖିଥିଲା କାହିଁକି ?

– ପୂର୍ବରୁ ହାଲକୁ ରୁଗଣ କମ୍ପାନୀ କହିଥିବା କଂଗ୍ରେସ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି କାହିଁକି ?

– ହାଲକୁ ପ୍ରକଳ୍ପରେ ନେବାକୁ ଚାହୁଁଥିବା କଂଗ୍ରେସ ରାଫେଲ୍ ନେଇ ଚୁକ୍ତି କରିନଥିଲା କାହିଁକି ?

– ବିନା ଅଧିକାରରେ ରାହୁଲ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ କାହିଁକି ଆଲୋଚନା କଲେ ?

– କମିଶନ କାରବାର ନଥିବା ଯୋଗୁ କଂଗ୍ରେସ ଏହି ଡିଲ୍ କରିବାକୁ ଚାହୁଁନଥିଲା କି ?

ତେବେ ନିର୍ମଳା ସୀତାରମଣଙ୍କ ବିବୃତି ଉପରେ ଆଜି ତାଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ରାହୁଲ ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ଆପଣ ଗୋଟିଏ ମିଛ ଲୁଚାଇବାକୁ ଯାଇଥାନ୍ତି, ସେତେବେଳେ ଆପଣଙ୍କୁ ଅନେକ ମିଛ କହିବାକୁ ପଡିଥାଏ । ରାହୁଲ କହିଛନ୍ତି ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସଂସଦରେ ମିଛ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ରାହୁଲ କହିଛନ୍ତି, ନିର୍ମଳା ସୀତାରମଣ ହାଲକୁ ଦିଆଯାଇଥିବା ୧ ଲକ୍ଷ କୋଟି ଟଙ୍କାର ଅର୍ଡରର ପ୍ରମାଣ ଦିଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ ।