ଅପପୁଷ୍ଟି ପିଲାଙ୍କ ପାଖରେ ଖାଦ୍ୟ ଆୟୋଗ : ବଣ୍ଡାଘାଟିରେ ସ୍ଥିତି ପରଖିଲେ ଖାଦ୍ୟ ନିରାପତ୍ତା କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା

61

କନକ ବ୍ୟୁରୋ : ବଣ୍ଡା ଘାଟିରେ ଖାଦ୍ୟ ଆୟୋଗ । ଅପପୁଷ୍ଟ ପିଲାଙ୍କ ଗନ୍ତାଘରରେ ସ୍ଥିତି ପରକ୍ଷିଛନ୍ତି ଖାଦ୍ୟ ନିରାପତ୍ତା ଆୟୋଗ କମିଶନ ଅଧ୍ୟକ୍ଷ । ତୁସେଇପଡା ଗାଁର କନକ ନ୍ୟୁଜର ଖବର ଉପରେ ମୋହର ମାରିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ଆୟୋଗ । ଗତ କିଛି ଦିନ ପୁର୍ବେ ବଣ୍ଡା ଘାଟିର ଅପପୁଷ୍ଟ ପିଲାଙ୍କ ଅସଲ ଚିତ୍ରକୁ ସାମ୍ନାକୁ ଆଣିଥିଲା କନକ ନ୍ୟୁଜ୍ । ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ଦୁର୍ଗମ ଗାଁରେ ଅପପୁଷ୍ଟିର ଶିକାର ହୋଉଛନ୍ତି ପିଲା ।

ତେବେ ବଣ୍ଡାଘାଟିର ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଅପପୁଷ୍ଟି ପିଲା ବଢୁ ଥିବା ଦେଖି ହତବାକ୍ ହୋଇ ପଡିଛନ୍ତି କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା । ଗତ ୧୦ରେ ବଣ୍ଡା ଘାଟି ଦୁର୍ଗମ ତୁସେଇପଡା ଗାଁର ବିକଳ ଚିତ୍ର ନେଇ ଖବର ପ୍ରସାରଣ କରି ଥିଲା କନକ ନ୍ୟୁଜ୍ । ଆଉ ଏ ହେଉଛି ଖବର ପ୍ରସାରଣ ପରର ଦୃଶ୍ୟ । ବଣ୍ଡା ଘାଟିର ମୁଦୁଲିପଡା ପଂଚାୟତ ସଦର ମହକୁମାରେ ପହଁଚିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା ଆୟୋଗ । ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ମୁଦୁଲିପଡା ଗାଁର ଅସଲ ଚିତ୍ର ବୁଲି ଦେଖି ଥିଲେ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା । ଆଦିମ ଜନଜାତିଙ୍କ ଜୀବନକୁ ପରକ୍ଷିବା ପରେ ରାଜ୍ୟ ସରକାରଙ୍କୁ ତାଗିଦ କରିବେ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ନିରାପତ୍ତା କମିଶନ ଅଧ୍ୟକ୍ଷ ।

ଫୁଙ୍ଗୁଳା ଦେହରେ ବୁଲୁ ଥିବା ବଣ୍ଡାପିଲାଙ୍କୁ ନୂଆ କପଡା ଢାଙ୍କି ମୁଦୁଲିପଡା ଅଙ୍ଗନୱାଡି କେନ୍ଦ୍ରରେ ଉପସ୍ଥିତ ରଖିଥିଲେ ଅଧିକାରୀ । ଯେତେ ଲୁଚାଇଲେ ବି,  ବଣ୍ଡାପିଲାଙ୍କ କଙ୍କାଳସାର ଦେହ କିନ୍ତୁ ଲୁଚି ପାରୁ ନ ଥିଲା ନୁଆ ବସ୍ତ୍ର ଭିତରେ । ଅଙ୍ଗନୱାଡି କେନ୍ଦ୍ରରେ ଗୋଟିଏ ଶିଶୁକୁ ପରୀକ୍ଷାମୂଳକ ଭାବେ ନିରୀକ୍ଷଣ କରିଥିଲେ କମିଶନ । ୪ ବର୍ଷ ୬ ମାସର ଶିଶୁର ଓଜନ ଥିଲା ମାତ୍ର ୯ କିଲୋଗ୍ରାମ । ଯାହାକୁ ଦେଖି ଉଦବେଗ ପ୍ରକାଶ କରିଛନ୍ତି କମିଶନ ଅଧ୍ୟକ୍ଷ । ତୁରନ୍ତ ମାଲକନଗିିରି ସଦର ମହକୁମା ସ୍ଥିତ ପୁଷ୍ଟି ସାଧନ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି ଖାତ୍ୟ ନିରାପତ୍ତା କମିଶନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦା । ତେବେ ମୁଦୁଲିପଡା ସଦର ମହକୁମାର ଶିଶୁଙ୍କ ଅବସ୍ଥା ଦେଖି ଅପହଂଚ ଇଲାକାର ଅବସ୍ଥାକୁ ଅନୁମାନ କରିଛି କମିଶନ । କେବଳ ଅଙ୍ଗନୱାଡି କେନ୍ଦ୍ର ନୁହଁ, କମିଶନଙ୍କ ସ୍କାନରରେ ଥିଲା ସରକାରୀ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ପି.ଡି.ଏସ ସିଷ୍ଟମ । ବଣ୍ଡା ଘାଟିର ବିଭିନ୍ନ ଆବାସିକ ବିଦ୍ୟାଳୟ ସମେତ ପଂଚାୟତ କାର୍ଯ୍ୟାଳୟରେ ପି.ଡି.ଏସ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଛନ୍ତି କମିଶନ । ସବୁ କିଛି ଅନୁଧ୍ୟାନ କରିବା ପରେ ବଣ୍ଡା ଘାଟିର ବିର୍ପଯ୍ୟସ୍ତ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଦାଗିଦ କରିବେ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷ ।