ବିହାର ନାଳନ୍ଦା ମେଡିକାଲ କଲେଜ ଆଇସିୟୁରୁ ପାଣି ଭର୍ତ୍ତି ପରେ ଚେତିଲେ କତ୍ତୃପକ୍ଷ: ଝାଡୁ ମାରି କଢାଗଲା ପାଣି, ରୋଗୀଙ୍କୁ ସ୍ଥାନାନ୍ତର ପରେ କରାଗଲା ସଫା

32

କନକ ବ୍ୟୁରୋ: ବିହାରର ନାଳନ୍ଦା ମେଡ଼ିକାଲ କଲେଜ୍ ଆଇସିୟୁରେ ଗତକାଲି ପାଣି ଭର୍ତି ହେବା ଖବର ପ୍ରସାରଣ ପରେ ମେଡିକାଲ କତୃପକ୍ଷଙ୍କ ଚେତା ପଶିଛି । ଆଜି ଆଇସିୟୁରୁ ଝାଡୁ ମାରି ପାଣି ସଫା କରାଯାଇଛି । ରୋଗୀଙ୍କୁ ସ୍ଥାନାନ୍ତର ପରେ ଆଇସିୟୁରେ ଥିବା ସମସ୍ତ ମେସିନକୁ ବାହର କରାଯାଇ ଝାଡୁ ମାରି ପାଣି କାଢୁଛନ୍ତି ମେଡିକାଲ କର୍ମଚାରୀ ।

ପ୍ରବଳ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନାର ନାଳନ୍ଦା ମେଡ଼ିକାଲ କଲେଜ୍ ଆଇସିୟୁ ଭିତରେ ଗତକାଲି ପାଣି ଭରିଯାଇଥିଲା । ରୋଗୀଙ୍କ ବେଡ୍ ପର୍ଯ୍ୟନ୍ତ ଛୁଇଁଥିଲା ପାଣି । ଆଉ ମାଛ ମଧ୍ୟ ଡାକ୍ତରଖାନା ଭିତରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏପରିକି ଡାକ୍ତରୀ ଉପକରଣ ମଧ୍ୟ ସବୁ ପାଣିରେ ଭାସିଥିଲା । ଗୋଟିଏ କି ଦୁଇଟି ବିଭାଗ ନୁହଁ ଶିଶୁରୋଗ ବିଭାଗଠାରୁ ଅଧିକାଂଶ ୱାର୍ଡରେ ପାଣି ଭର୍ତି ହୋଇଯାଇଥିଲା ।

ନାଳନ୍ଦା ମେଡ଼ିକାଲ କଲେଜ୍ ହେଉଛି ବିହାରର ତୃତୀୟ ସର୍ବବୃହତ ଡାକ୍ତରଖାନା । ହସ୍ପିଟାଲର ଏହିି ଅଭାବନୀୟ ଚିତ୍ର ଏବେ ଚର୍ଚ୍ଚା ସୃଷ୍ଟି କରିଛି ସୋସିଆଲ୍ ମିଡ଼ିଆରେ । ସେପଟେ ଏହାକୁ ନେଇ ରୋଗୀଙ୍କ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି ।