ମୁଣ୍ଡଳି ଆସୁଛି ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ : ହୀରାକୁଦର ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ଲଘୁଚାପ ଓ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଖୋଲାଯାଇଛି ଗେଟ୍

30

କନକ ବ୍ୟୁରୋ : ଆଜି ସକାଳ ୯ଟା ବେଳକୁ ମୁଣ୍ଡୁଳିଠାରେ ପହଂଚିବ ହୀରାକୁଦରୁ ଛଡାଯାଇଥିବା ପ୍ରଥମ ବନ୍ୟାଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ଜଳଭଣ୍ଡାରର ଜଳସ୍ତର ବଢିବା ପରେ ଗତକାଲି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଥିଲା । ବର୍ତ୍ତମାନ ୩ଟି ଗେଟ୍ ବନ୍ଦ କରିବା ସହ ଜଳଭଣ୍ଡାର ଜଳସ୍ତର ୬୧୪ ଦଶମିକ ୪୭ ଫୁଟ୍ ରହିଛି । ଏବେ ୧୭ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨ଲକ୍ଷ ୫୯ହଜାର ୧୬୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଆସନ୍ତା ୨୯ ତାରିଖର ଲଘୁଚାପ ଓ ୨୭ ତାରିଖର ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲା ଯାଇଥିବା ଜଣାପଡିଛି । ଜଳଭଣ୍ଡାରର ଜଳକୁ ୬୦୯ ଫୁଟ୍ ରଖିବା ପାଇଁ ଉଦ୍ୟମ କରାଯାଉଛି । ଏବେ ମୁଣ୍ଡୁଳିରେ ୨ ଲକ୍ଷ ୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ପୂର୍ବାପେକ୍ଷା ଏଠାରେ ଜଳସ୍ତର ଖୁବ୍ କମ ରହିଛି । ସେହିପରି ମୁଣ୍ଡଳିରେ ଜଳସ୍ତରର ବିପଦ ସଙ୍କେତ ୯୭ ଥିଲା ବେଳେ ଏବେ ଏହା ୮୧ରେ ରହିଛି । ବିପଦ ସ୍ତରଠାରୁ ଖୁବ ତଳେ ରହିଛି ଜଳସ୍ତର । ତେଣୁ ବନ୍ୟା ଆଶଙ୍କା କମ୍ ରହିଛି ବୋଲି କୁହାଯାଉଛି ।