ରାଜ୍ୟରେ ବନ୍ୟା ପରିସ୍ଥିତିରେ ଆସିଛି ସୁଧାର ! ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

18

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ପାଣିଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆକାଶ ମାର୍ଗରୁ ମଧ୍ୟ ରିଲିଫ୍ ସାମଗ୍ରୀ ଯୋଗୋଇ ଦିଆଯାଉଛି । ଏହାସହ କଟକରେ ବର୍ଷା ଜଳ ଜମିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଜଳ ନିଷ୍କାସନ ପାଇଁ ପମ୍ପର ବ୍ୟବସ୍ଥା କରାଯାଇଛି ।

ସେପଟେ ବନ୍ୟା ପରିସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କଲ୍ୟାଣସିଂହପୁର , ରାୟଗଡା ଓ କଳାହାଣ୍ଡିରେ ପାଣି କମିଥିବା ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି । ଉଦ୍ଧାର କାମ ଜୋରସୋରର ଚାଲିଛି । ଗୋଟିଏ ହେଲିକପ୍ଟରକୁ ବନ୍ୟା ପ୍ରଭାବିତ ଅଂଚଳରେ ନିୟୋଜିତ କରାଯାଇଛି । ଆଉ ଏକ ହେଲିକପଟର ରାୟପୁରରେ ଆସିଲା ପରେ ନିୟୋଜିତ ହେବ । ରାଜ୍ୟରେ ବନ୍ୟା ପରିସ୍ଥିତି ଉପଜୁଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବନ୍ୟା ପରିସ୍ଥିତି ଦେଖାଦେଇଥିବା ଅଂଚଳ ଗୁଡିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।