ଦେବୀ ନଦୀକୁ ଦେଖିଲେ ମାଡୁଛି ଡର: ବାଉରିଆକଣଠାରେ ବୃଦ୍ଧି ପାଉଛି ଜଳସ୍ତର, ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା

42

କନକ ବ୍ୟୁରୋ: ଦେବୀ ନଦୀକୁ ଦେଖିଲେ ଡର ମାଡୁଛି । ଲଗାଣ ବର୍ଷାର ପ୍ରଭାବରେ ମହାନଦୀ ଓ ତାର ଶାଖା ନଦୀଗୁଡିକରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେବୀ ନଦୀର ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ରହିଛି । ଦେବୀନଦୀର ଜଳପତନ ବାଉରିଆକଣଠାରେ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିପଦ ସଂକେତ ରହିଛି ୪.୯୩ ମିଟର ।

ରାତି ୧୨ଟା ସୁଦ୍ଧା ଏହା ୩.୯୦ରେ ପହଂଚିଛି । ନଦୀରେ ପ୍ରବଳ ସ୍ରୋତ ହେବା ସହ ସମୁଦ୍ରକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ବନ୍ୟାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଥିପାଇଁ ନିଶାମଜା ଜଳସେଚନ ବିଭାଗ ପକ୍ଷରୁ ସବୁ ବନ୍ଧସଙ୍କୁଳ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଅନ୍ୟପଟେ ଲଗାଣବର୍ଷାରେ କେଉଟଜଙ୍ଗା ନିକଟରେ ରିଂଗ ବନ୍ଧରେ ଅତଡା ଖସିବା କାରଣରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।

ସେପଟେ, ଆଜି ହୀରାକୁଦ ଛାଡିବ ପ୍ରଥମ ବନ୍ୟାଜଳ । ଦିନ ୧୧ଟା ବେଳେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲାଯିବ ଗେଟ୍ । ଆଉ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପରମ୍ପରା ଅନୁଯାୟୀ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ । ଆଜି ମୋଟ ୧୫ଟି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ତେବେ ପରିସ୍ଥିତିକୁ ଦେଖି ଗେଟ୍ ଖୋଲିବା ସଂଖ୍ୟା ବଢିପାରେ ବୋଲି ମଧ୍ୟ ସୂଚନା ମିଳିଛି । ବର୍ତମାନ ହୀରାକୁଦର ଜଳପତନ ରହିଛି ୬୧୭ ଦଶମିକ ୭୮ ଫୁଟ । ଜଳଭଣ୍ଡାର ମଧ୍ୟକୁ ବର୍ତମାନ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳପତନ କମାଇବା ପାଇଁ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବ ବୋଲି ଅପର ମହାନଦୀ ବେସିନ୍ର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ମୁଣ୍ଡଳି ଦେଇ ୭ ଦଶମିକ ୫ ଲକ୍ଷ ଘନଫୁଟ ଜଳ ନିଷ୍କାସନ ହେବ ।
ହୀରାକୁଦ ଗେଟ୍ ଖୋଲିବା ଦ୍ୱାରା ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଫଳରେ ତଳିଆ ଅଂଚଳକୁ ସତର୍କ ସୂଚନା ଜାରି କରାଯାଇଛି ।