ପାଣି ଘେରରେ ପୁରୀ କଣାସ ବ୍ଲକର ୫ ପଂଚାୟତ । ଗାଁ ଦାଣ୍ଡରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ସେପଟେ ନିମାପଡ଼ାରେ ବୁଡ଼ିରହିଛି ଶହଶହ ଏକର ଚାଷଜମି

25

କନକ ବ୍ୟୁରୋ: ପାଣି ଘେରରେ ଜୀବନ । ଲଗାଣ ବର୍ଷା ଯୋଗୁଁ ବନ୍ୟା ପାଣି ଘେରରେ ପୁରୀ ଜିଲ୍ଲା କଣାସ ବ୍ଲକ ୫ଟି ପଂଚାୟତର ୨୪ ଟି ଗାଁର ଲୋକେ । ଘରେ ପାଣି, ଚାଷ ଜମିରେ ପାଣି, ଗାଁ ଦଣ୍ଡାରେ ବି ଆଣ୍ଠୁଏ ପାଣି, ଗାଁ ଦାଣ୍ଡରେ ବି ପାଣି । ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ପିଲାମାନେ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ଯାଇପାରୁନାହାନ୍ତି । କଣାସ ବ୍ଲକ ମଲାଗୁଣୀ ନୀଦର ମାଙ୍କଡଖିଆଠାରେ ୨୫ ଫୁଟ ଘାଇ ହୋଇଛିା ଫଳରେ ହଳଦୀପଦର, ବରିବାରଗଡ, ବ୍ରାହ୍ମଣପାଟଣା ଓ ଆଖାପାଖ ଗାଁରେ ପାଣି ପଶିଛି । ଚାଷ ଜମି ସହିତ ଗାଁର ମାଟି ଘର ଭାଙ୍ଗିଛି । ଅନେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଲୋକେ ସ୍କୁଲ ଓ କୋଠାଘରେ ଗାଈ ଗୋରୁ ସହିତ ରହୁଛନ୍ତି । ଗାଁ ଲୋକଙ୍କ କହିବା କଥା, ପ୍ରତିବର୍ଷ ଏଭଳି ଘଟଣା ପ୍ରତିବ୍ଷ ହେଉଥିଲେ ବି ପ୍ରଶାସନ ସେମାନଙ୍କ ଅଭିଯୋଗ ଶୁଣୁନାହିଁ ।

ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ପୁରୀ ନିମାପଡ଼ା ଅଂଚଳରେ ଶହଶହ ଏକ ଧାନଜମି ପାଣିରେ ବୁଡ଼ିଯାଇଛି । ଧାନଜମି ଉପରେ ୩ରୁ୪ ଫୁଟ ଉଚ୍ଚରେ ପାଣି ଜମି ରହିଛି । ଜମିରୁ ବର୍ଷାଜଳ ନିଷ୍କାସିତ ହୋଇନପାରିବା କାରଣରୁ ଏକରଏକର ଜମି ପାଣିରେ ବୁଡ଼ିରହିଛି । ଯାହାଫଳରେ ଚଳିତ ବର୍ଷ ଧାନ ଫସଲ ଉଜୁଡି ଯିବାର ଆଶଂକା ଦେଖାଦେିଛି । । ଋଣ କରି ଧାନ ଫସଲ କରିଥିବା ଚାଷୀ ଏବେ କଣ କରିବ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ କୁଷିବିଭାଗ ଜମି ପରିଦର୍ଶନ କରି ସହଯୋଗର ହାତ ବଢ଼ାଇବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

ସେପଟେ ନରସିଂହପୁରରେ ବିିଭିନ୍ନ ଅଂଚଳ ଏବେ ଜଳମଗ୍ନ ହୋଇ ଅଛି । ବାଲିଝରୀଠାରୁ କମଳାଡିହ ପର୍ଯ୍ୟନ୍ତ ବିଭିନ୍ନ ଯାଗାରେ ଘାଇ ହେବାରୁ ଚାଷ ଜମିରେ ପାଣି ମାଡି ଯାଇଛି । ଫଳରେ ଏକର ଏକର ଧାନ ଜମିରେ ପାଣି ଜମି ରହି ଧାନ ଗଜା ହେବାକୁ ବସିଲାଣି । ଫଳରେ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି । ସ୍ଥାନୀୟ ବିଧାୟକ, ବିଡିଓ, ତହସିଲଦାର ଅଂଚଳର ଚାଷୀମାନଙ୍କ ସହିତ ସ୍ଥିତି ନେଇ ଆଲୋଚନା କରିଛନ୍ତି । ସେପଟେ କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀ ମାନେ କହିଛନ୍ତି ।